ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା ।

ସତ୍ୟଶିଖା ୦୩/୦୯/୨୦୨୫: ଭୁବନେଶ୍ବରରେ ମା’ଙ୍କ ବିଦାୟୀ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ସହରରେ ୪ ଗୋଟି ରାସ୍ତାରେ ୪ଟି ଭଷାଣୀ କମିଟି ଭଷାଣୀ ଉତ୍ସବ ପାଳନ କରିବେ । ଭୁବନେଶ୍ବର ଭଷାଣୀ ଉତ୍ସବ କମିଟିରେ ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭଷାଣୀ କମିଟି, ନୟାପଲ୍ଲୀ, ଉତ୍ତର ଭୁବନେଶ୍ଵର ଭଷାଣୀ କମିଟି, ଚନ୍ଦ୍ରଶେଖରପୁର ଭଷାଣୀ କମିଟି ଏବଂ ଓଲ୍ଡ ଟାଉନ୍ ଭଷାଣୀ କମିଟି । ଏହି ଭଷାଣୀ ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ଅପରାହ୍ନ ୨ଟା ଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି ।

ସେପଟେ ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ୍ । ଏ ବର୍ଷ ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସେହିପରି ଭସାଣି ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସିସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସିଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ । ପ୍ରଥମ ଥର ପାଇଁ “CTC 60” ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେସିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ । ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ପୋଲିସ ପକ୍ଷରୁ ଗୋଟିଏ ଥର ପାଇଁ କୁହାଯିବ । ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ୍ କରିବା ସହିତ ମାମଲା ରୁଜୁ କରିବ କମିଶନରେଟ ପୋଲିସ ।

ସେହିପରି ଭଷାଣୀ ସମୟରେ ସହରରେ ମୋଟ ୧୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ହେବେ । ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ସହିତ ରହିବେ । ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ୍ ପୋଷ୍ଟ ରହିବ । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି । ସକାଳ ୮ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟି ଗୁଡ଼ିକୁ ଅନୁରୋଧ କରାଯାଇଛି ।

Exit mobile version