ଆଜି ବିଶ୍ୱ ମାନବାଧିକାର ଦିବସ

ସତ୍ୟଶିଖା ୧୦/୧୨/୨୦୨୦ : ରାଜ୍ୟରେ ମାନବାଧିକାର ଉଲ୍ଲଂଘନ ମାମଲା ବୃଦ୍ଧି ପାଉଛି । ନିକଟରେ ପୁରୀର ବାସେଳିସାହିର ପୁଲିସ ହାଜତ ମୃତ୍ୟୁ ହେଉ କିମ୍ବା ପରୀ ହତ୍ୟା ମାମଲା, ସବୁଥିରେ ମାନବାଧିକାର ଉଲ୍ଲଂଘନ ନଜରକୁ ଆସୁଛି । ବିଶେଷକରି ସାଧାରଣ ଲୋକଙ୍କ ଉପରେ ପୁଲିସ ଅତ୍ୟାଚାର ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି ଯେ, ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଥାନାରେ ନିଯୁକ୍ତି ନ ଦେଇ ମାନବାଧିକାର ସଂପର୍କିତ ତାଲିମ ଦେବା ଲାଗି ମାନବାଧିକାର ଆୟୋଗଙ୍କୁ ନିର୍ଦେଶ ଦେବାକୁ ପଡ଼ୁଛି । ମଣିଷ, ମଣିଷ ଭଳି ବଞ୍ଚିବ ଓ ମର୍ଯ୍ୟାଦାର ସହ ବଞ୍ଚିବ ଏହା ହେଉଛି ମାନବାଧିକାରର ମୂଳମନ୍ତ୍ର । ମା’ର ଜରାୟୁଠାରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିର ମାନବାଧିକାର ରହିଛି । ମାତ୍ର ଅଧିକାଂଶ କ୍ଷେତ୍ରରେ ମାନବାଧିକାରର ସୁରକ୍ଷା ହୋଇପାରୁ ନାହିଁ । ମାନବାଧିକାରର ପରିସୀମା କେବଳ ପୁଲିସର ଅତ୍ୟାଚାର, ହାଜତ ମୃତ୍ୟୁ କିମ୍ବା ଏନକାଉଣ୍ଟରରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଭିତରେ ସୀମିତ ରହିନାହିଁ । ବର୍ତମାନ ପରିସ୍ଥିତିରେ ମାନବାଧିକାର ବେଶ୍ ବ୍ୟାପକ ହୋଇଛି । ଶିକ୍ଷା, ସ୍ଵାସ୍ଥ, ପରିବେଶ ଭଳି କ୍ଷେତ୍ରରେ ମାନବାଧିକାରକୁ ଗୁରୁତ୍ୱ ଦିଆଯାଉଛି ।ମାନବାଧିକାରର ସୁରକ୍ଷା ଦିଗରେ ଓଡ଼ିଶାର ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି । ପ୍ରତିବର୍ଷ ରାଜ୍ୟରେ ଶହ ଶହ ମାମଲା ରାଜ୍ୟ ମାନବାଧିକାର କମିସନ ସହିତ ଜାତୀୟ ମାନବାଧିକାର କମିସନରେ ଅଭିଯୋଗ ହେଉଛି । ରାଜ୍ୟରେ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୧୪,୮୮୭ ମାମଲା ବିଚାରାଧୀନ ରହିଛି । ପ୍ରତିବର୍ଷ ଏହି ମାମଲା ବଢ଼ି ଚାଲିଛି । ସେହିପରି ଗତ ୨୦ବର୍ଷ ଭିତରେ ଜାତୀୟ ମାନବାଧିକାର କମିସନରେ ୭୩ହଜାରରୁ ଅଧିକ ମାମଲା ଦାୟର ହୋଇଛି । ତେଣୁ ମାନବାଧିକାରର ସୁରକ୍ଷା ଦିଗରେ ରାଜ୍ୟର ସ୍ଥିତି ଏଥିରୁ ସହଜରେ ଅନୁମେୟ । କେବଳ ବ୍ୟକ୍ତିଗତ ମାନବାଧିକାର ଉଲ୍ଲଂଘନର ବିଚାର ଦିଗରେ କମିସନ ଯେତିକି ଗୁରୁତ୍ୱ ଦେଉଛନ୍ତି ନୀତିଗତ/ବୃହତର ସ୍ଵାର୍ଥ କ୍ଷେତ୍ରରେ କମିସନର ସେଭଳି ଆଗ୍ରହ ଦେଖାଉ ନାହାନ୍ତି । ସେହିପରି ଅନେକ କ୍ଷେତ୍ରରେ କମିସନ ମାନବାଧିକାର ଉଲ୍ଲଂଘନର ବିଚାର କରି ଯେଉଁ ନିର୍ଦେଶ ଦେଉଛନ୍ତି ସରକାରୀ ସ୍ତରରେ ମଧ୍ୟ ଏହାକୁ ଠିକ୍ରେ ପାଳନ କରାଯାଉ ନାହିଁ । ମାନବାଧିକାର କେବଳ ମାନବାଧିକାର କମିସନ ମଧ୍ୟରେ ସୀମିତ ନୁହେଁ । ମାନବାଧିକାର କମିସନ ବାଦ୍ ସୂଚନା କମିସନ, ଶିଶୁ ଅଧିକାର ସୁରକ୍ଷା, ମହିଳା କମିସନ, ଖାଦ୍ୟ କମିସନ ଓ ଲୋକାୟୁକ୍ତ ମଧ୍ୟ ମାନବାଧିକାର ପରିସର ଅନ୍ତର୍ଭୁକ୍ତ । ତେଣୁ ଏସବୁ କମିସନକୁ ଅନୁଶୀଳନ କଲେ ସେଠାରେ ମଧ୍ୟ ଅନେକ ମାମଲା ପଡ଼ି ରହିଛି ।
ବିଶିଷ୍ଟ ମାନବାଧିକାର କର୍ମୀ ମନୋଜ ଜେନାଙ୍କ କହିବା ମୁତାବକ, ୨୦୦୦-୨୦୨୦ ମସିହା ଭିତରେ ଏନ୍ଏଚ୍ଆରସିରେ ୭୩,୧୪୯ ମାମଲା ଦାୟର ହୋଇଛି । ଏଥିରେ ୧୦୩୫ଟି ବିଚାର ବିଭାଗୀୟ ହାଜତ ମୃତ୍ୟୁ ଥିବା ବେଳେ ୭୯ ପୁଲିସ ହାଜତ ମୃତ୍ୟୁ ଓ ୮୭ଟି ମାମଲା ଏନ୍କାଉଣ୍ଟର । ଏହାବାଦ୍ ଅନ୍ୟ କମିସନରେ ଥିବା ମାମଲା ଗୁଡ଼ିକୁ ବିଚାର କଲେ ଏହି ସଂଖ୍ୟା ଆହୁରି ଅଧିକ ହେବ । ଦିନକୁ ଦିନ ମାନବାଧିକାର ଉଲ୍ଲଂଘନ ମାମଲା ବଢ଼ି ଚାଲିଥିବା ବେଳେ ଏହାର ସୁରକ୍ଷା ଦିଗରେ ସରକାରୀ ନିଷ୍କ୍ରିୟତା ଜଳ ଜଳ ହୋଇ ବାରି ହୋଇଯାଉଛି । ଏପରିକି କେନ୍ଦ୍ର ସରକାର ୧୯୮୪ ମସିହାରେ ନିର୍ଯାତନା ବିରେଧରେ ଏକ ଅନ୍ତର୍ଜାତୀୟ ଚାର୍ଟରକୁ ସ୍ଵାକ୍ଷର କରିଥିଲେ ହେଁ, ଏହା ସଂସଦରେ ପାରିତ ହୋଇପାରୁ ନାହିଁ । ରାଜ୍ୟରେ ହଜାର ହଜାର ସଂଖ୍ୟାରେ ମାନବାଧିକାର ମାମଲା ପଡ଼ି ରହିଥିବା ବେଳେ ଏହାର ତ୍ୱରିତ ବିଚାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପ୍ରତି ଜିଲ୍ଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି । ଏହାସହ ହ୍ବିସିଲ ବ୍ଲୋୟର ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା, ନିର୍ଯାତନା ବିରୋଧୀ ଆଇନ ଓ ପ୍ରତ୍ୟେକ ଘଟଣା ସରକାର ମାନବାଧିକାର ଦୃଷ୍ଟିକୋଣର ଏହାକୁ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି ।
ବିଶିଷ୍ଟ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ କହିଛନ୍ତି, ଆଜିର ସମୟରେ ମାନବାଧିକାର କମିସନର ପରିସୀମା ବୃଦ୍ଧି ହୋଇଥିବା କଥା ଠିକ୍ ନୁହେଁ । ଆମେରିକା ବିପ୍ଳବଠାରୁ ଫରାସୀ ବିପ୍ଳବରେ ମଧ୍ୟ ମାନବାଧିକାର କଥା କୁହାଯାଇଛି । ଜାତିସଂଘର ବିଲ୍ ଅଫ ରାଇଟ୍ରେ ଜୀବନ, ସଂପତ୍ତି ଓ ସ୍ଵାଧୀନତା କଥା ଉଲ୍ଲେଖ ରହିଛି । ରାଜ୍ୟରେ ମାନବାଧିକାର କମିସନଙ୍କଠାରୁ ଆରମ୍ଭ କରି ଅନେକ କମିସନ ରହିଥିଲେ ହେଁ, ଏଥିରେ କେବଳ ବ୍ୟକ୍ତିଗତ ମାମଲା ଗୁଡ଼ିକର ବିଚାରକୁ ଗୁରୁତ୍ୱ ଦିଆଯାଉଛି । ମଧ୍ୟାହ୍ନ ଭୋଜନ ବିଭ୍ରାଟ, ଦାଦନ ଶ୍ରମିକ, ଚାଷୀ ଆତ୍ମହତ୍ୟା, ସର୍ବନିମ୍ନ ମଜୁରୀ ଓ ଶିକ୍ଷା ଅଧିକାର ଭଳି ନୀତିଗତ ବିଚାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଉନି । ରାଜ୍ୟରେ ମାନବାଧିକାରର ସୁରକ୍ଷା ପାଇଁ ଯେଉଁ ବାତାବରଣ ସୃଷ୍ଟି ହେବାର ଆବଶ୍ୟକତା ରହିଛି ତାହା ସୃଷ୍ଟି କରିବାରେ ସବୁ କମିସନ ବିଫଳ ହୋଇଛନ୍ତି । ସବୁ ଲୋକ ନିଜର ଅଭିଯୋଗ ନେଇ କମିସନକୁ ଆସିପାରିବେ ନାହିଁ, ଏହାସତ୍ବେ ମଧ୍ୟ ସେମାନଙ୍କର କିଭଳି ମାନବାଧିକାର ସୁରକ୍ଷିତ ରହିବ ତାହାକୁ ଗୁରୁତ୍ୱ ଦେବାର ସମୟ ଆସିଯାଇଛି । ପଡ଼ି ରହିଥିବା ମାମଲା ଗୁଡ଼ିକର ତ୍ୱରିତ ବିଚାର ହେବ କମିସନ ଏଥିପାଇଁ ଏକ ମେକାନିଜିମ୍ ପ୍ରସ୍ତୁତ କରିବା ଦରକାର । ଏହାସହ ଜନସ୍ଵାର୍ଥ ମାମଲା ଗୁଡ଼ିକର ତ୍ୱରିତ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି ।
ମାନବାଧିକାର କର୍ମୀ ଅଖଣ୍ଡ କହିଛନ୍ତି, ରାଜ୍ୟ ସରକାର ମାନବାଧିକାରକୁ କମ୍ ଗୁରୁତ୍ୱ ଦେଉଛନ୍ତି । ଏପରିକି କମିସନ ଯେଉଁ ମାମଲା ଗୁଡ଼ିକରେ କ୍ଷତିପୂରଣ ପ୍ରଦାନ କରିବା ଲାଗି ନିର୍ଦେଶ ଦେଉଛନ୍ତି, ସେଠାରେ ସରକାର କ୍ଷତିପୂରଣ ପ୍ରଦାନ କରିବା ଲାଗି ନିଜର ଅସମର୍ଥତା ପ୍ରକାଶ କରୁଛନ୍ତି । ଏହାସହ କମିସନ ଯେଉଁ ଘଟଣାରେ ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେଉଛନ୍ତି, ଠିକଣା ସମୟରେ ତଦନ୍ତ ରିପୋର୍ଟ ଆସିପାରୁ ନାହିଁ ବୋଲି ସେ କହିଛନ୍ତି ।
ରାଜ୍ୟ ମାନବାଧିକାର କମିସନର ସଦସ୍ୟ ଅସୀମ ଅମିତାଭ ଦାସ କହିଛନ୍ତି, ଓଏଚ୍ଆରସି ଏବେ ପୂର୍ଣ୍ଣ ସଦସ୍ୟକୁ ନେଇ କାର୍ଯ୍ୟ କରୁଛି । ପୂର୍ବରୁ ଯେଉଁ ପୁରୁଣା ମାମଲା ପଡ଼ି ରହିଛି ସେସବୁର ବିଚାର କରିବା ଲାଗି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । କେବଳ ବ୍ୟକ୍ତିଗତ ସ୍ତରରେ ଯେଉଁ ଅଭିଯୋଗ ହେଉଛି ତା ନୁହେଁ, ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମଧ୍ୟ କମିସନ ବିଚାର କରୁଛନ୍ତି । ଟ୍ରାଫିକ୍ ସମସ୍ୟା ହେଉ ବା କୋଭିଡ୍ ଓ କଟକର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମାତ୍ର ବର୍ତମାନ ସମୟରେ ମଧ୍ୟ ଅନେକ ଲୋକ ସେମାନଙ୍କର ମାନବାଧିକାର ସଂପର୍କରେ ସଚେତନ ନୁହନ୍ତି । ତେଣୁ ଆଗାମୀ ଦିନକରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଜନସେଚତନତା ଶିବିର ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖିଛି । ଏଥିରେ ମାନବାଧିକାର କର୍ମୀ, ଏନ୍ଜିଓମାନଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।