ରାଜ୍ୟସ୍ୱାସ୍ଥ୍ୟ

ଆଜି ବିଶ୍ୱ ଏଡ୍‌ସ ଦିବସ

ସତ୍ୟଶିଖା (ଗଞ୍ଜାମ) ୦୧/୧୨/୨୦୨୦ : କରୋନାର ଭୟାବହତା କମି ନାହିଁ । ଏବେ ବି ସଂକ୍ରମଣ ଭୟ ଘାରିଛି । ପ୍ରତିଷେଧକ ବ୍ୟବସ୍ଥା ନ ବାହାରିବା ପର୍ଯ୍ୟନ୍ତ ଏହି ରୋଗର ନିରାକରଣ ଅସମ୍ଭବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ସବୁଠାରୁ ଅଧିକ ସମସ୍ୟା ଭିତରେ ଛନ୍ଦି ହୋଇଛନ୍ତି ଏଚ୍‌ଆଇଭି ସଂକ୍ରମିତ । ଗୋଟିଏ ପଟେ ସାମାଜିକ ବ୍ୟାଧି ସାଙ୍ଗକୁ ଅନ୍ୟପଟେ କୋଭିଡ୍‌ କଟକଣା ସେମାନଙ୍କ ପାଇଁ କାଳ ହୋଇଛି । ଏପରିକି କୋଭିଡ୍‌ ଯୋଗୁଁ ସଚେତନତା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ପୁଣି ଏଡ୍‌ସ ଉପରମୁହାଁ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏବେଠାରୁ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚ୍‌ଆଇଭି ଆକ୍ରାନ୍ତ ରୋଗୀ ରହିଛନ୍ତି । ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ନମ୍ବର ସ୍ଥାନରେ ରହିଛି। ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ହଜାର ୫୧୫ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ । ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଡ୍‌ସ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ଏଡ୍‌ସ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ବିଜ୍ଞାପନ, ହୋର୍ଡି˚, ଗଣମାଧ୍ୟମ ଜରିଆରେ ସଚେତନ କରାଯାଉଛି । ସେହିପରି ପ୍ରତିବର୍ଷ ଏଡ୍‌ସ ଦିବସରେ ରାଲି, ସଭା ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉଛି ।

କିନ୍ତୁ ଚଳିତ ବର୍ଷ କୋଭିଡ୍‌ ଯୋଗୁଁ ଏଭଳି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଛି । ଏପରିକି ବିଭିନ୍ନ ଦୁର୍ଗମ ଇଲାକାରୁ ଏଚ୍ଆଇଭି ଆକ୍ରାନ୍ତ ଔଷଧ ନେବା ପାଇଁ ଡାକ୍ତରଖାନାକୁ ଆସିପାରି ନାହାନ୍ତି । ଫଳରେ ବହୁ ରୋଗୀ ଔଷଧ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଗତ ୨୦୦୦ରୁ ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ୧୩ଲକ୍ଷ ୯୬ହଜାର ୧୯୯ଜଣଙ୍କୁ କାଉନ୍‌ସେଲି˚ କରାଯାଇ ୧୨ଲକ୍ଷ ୩୭ହଜାର ୩୩୭ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି । ତନ୍ମଧୢରୁ ମୋଟ ୧୬ହଜାର ୫୧୫ଜଣଙ୍କ ରକ୍ତ ନମୁନା ଏଚ୍‌ଆଇଭି ପଜିଟିଭ୍‌ ଆସିଥିବା ଏଡ୍‌ସ ସେଲ୍‌ ତରଫରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦ ଗର୍ଭବତୀ ଏଡ୍‌ସ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ୍‌ ସ˚ଖ୍ୟା ୯୨୯ ରହିଛି ।

Show More
Back to top button