

ସତ୍ୟଶିଖା (ଭୁବନେଶ୍ୱର) ୧୮.୦୨.୨୦୨୨: ଆଜି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।
ଭୋଟରମାନେ ଯେପରି ସୁରୁଖୁରୁରେ ଭୋଟ ଦେଇପାରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । କେତେକ ସ୍ଥାନରେ ସକାଳୁ ମକ୍ ଭୋଟିଂ ମଧ୍ୟ କରାଯାଇଛି । ଏକା ଥରେ ୪ଟି ପଦବୀ ପାଇଁ ଭୋଟିଂ ହେଉଥିବାରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି । ପ୍ରଥମେ ସରପଞ୍ଚ, ତା’ପରେ ୱାର୍ଡମେମ୍ବର, ଏହା ପରେ ପଞ୍ଚାୟତ ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ଉଦ୍ଧିଷ୍ଟ ବାଲାଟ୍ ପେପର୍ରେ ଭୋଟ୍ ଦେଉଛନ୍ତି ଲୋକେ । ସରପଞ୍ଚ ପଦବୀ ପାଇଁ ଗୋଲାପୀ, ୱାର୍ଡ ମେମ୍ବର ପାଇଁ ହଳଦିଆ, ସମିତି ସଭ୍ୟ ପାଇଁ ନୀଳ ଓ ଜିଲ୍ଲା ପରିଷଦ ପାଇଁ ଧଳା ରଙ୍ଗର ବାଲଟ ପେପର୍ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏଥିରେ ରହିଛି ୧ ହଜାର ୫୧୪ ପଞ୍ଚାୟତ । ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବାଛିବାକୁ ଭୋଟ ଦେଉଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର ।୨୦ହଜାର ୪୩୬ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ।