ସତ୍ୟଶିଖା ୦୮/୧୨/୨୦୨୦ : ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ ଖେଳାଯିବ । ଭାରତ ନିକଟରୁ ପ୍ରଥମ ଦୁଇ ଟ୍ବେଣ୍ଟି୨୦ ମ୍ୟାଚରେ ପରାଜିତ ହେବା ପରେ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ମ୍ୟାଚ ଜିତି ହ୍ବାଇଟ୍ୱାଶ ଏଡାଇବାକୁ ପ୍ରୟାସ କରିବ । ସିରିଜ୍ରେ ୦-୨ରେ ପଛରେ ପଡ଼ି ଅଷ୍ଟ୍ରେଲିଆ ସିରିଜ୍ ହାତଛଡ଼ା କରିସାରିଛି । ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଭ୍ରମଣକାରୀ ଦଳକୁ ହରାଇ ଘରୋଇ ଅଷ୍ଟ୍ରେଲିଆ ସାନ୍ତ୍ବନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ।
ଅନ୍ତିମ ମ୍ୟାଚରେ ଭାରତ ସାମାନ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଯଶପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଫାଷ୍ଟ ବୋଲିଂ ବିଭାଗକୁ ନଟରାଜନ ଓ ସାର୍ଦୁଳ ସମ୍ଭାଳିବାରେ ସକ୍ଷମ ହୋଇଛନ୍ତି । ଦୀପକ ଚହରଙ୍କ ବଦଳରେ ନବଦୀପ୍ ସଇନି ଓ ବ୍ୟାଟିଂ ବିଭାଗରେ ଶିଖର ଧାୱନଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିପାରେ । ଭାରତ ସିରିଜ୍ ବିଜୟୀ ହୋଇସାରିଥିବାରୁ ପୂରା ଆତ୍ମବିଶ୍ବାସର ସହ ଖେଳିବ । ଅନ୍ୟପକ୍ଷରେ ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ପୂର୍ବରୁ ଶେଷ ଟ୍ବେଣ୍ଟି୨୦ ବିଜୟ ସହ ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ । ନିୟମିତ ଅଧିନାୟକ ଆରୋନ ଫିଞ୍ଚ, ଓପନର ଡେଭିଡ୍ ୱାର୍ଣ୍ଣର, ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ଦ୍ବିତୀୟ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ଭଲ ସ୍କୋର କରିଥିଲେ ମଧ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରି ବିଜୟ ଦେଇଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଥିବା ଭାରତ ତୃତୀୟ ମ୍ୟାଚକୁ ଜିତି ସିରିଜ୍ ପୋଛିବା ଲକ୍ଷ୍ୟରେ ଖେଳିବ । ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ସିରିଜ୍ ହାରିବା ପରେ ଟ୍ବେଣ୍ଟି୨୦ ସିରିଜ୍କୁ ପୋଛି ନେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଉକ୍ତ ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ବିରାଟ ବାହିନୀ ରହିଛି ।