ସତ୍ୟଶିଖା :୦୫/୦୭/୨୦୨୫: ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନି ରଥ । ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ଶୁକ୍ରବାର ଆଡ଼ପ ମଣ୍ଡପରେ ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଛନ୍ତି । ଦିନ ତମାମ ପାଗ ମେଘୁଆ ଥିଲା । କିଛି ସମୟ ଝିପିଝିପି ବର୍ଷିଥିଲା । ଏଣୁ ଥଣ୍ଡା ପାଗରେ ଭକ୍ତମାନେ ବେଶ୍ ଆନନ୍ଦରେ ଶରଧାବାଲିରେ ପହଞ୍ଚି ବ୍ୟାରିକେଡରେ ଲମ୍ୱା ଧାଡ଼ିରେ ଅପେକ୍ଷା କରୁଥିଲେ । ନୃସିଂହ ମନ୍ଦିର ନିକଟସ୍ଥ ଉତ୍ତରଦ୍ୱାର ଦେଇ ସେବାୟତ ପରିବାର ଦର୍ଶନକୁ ଯାଇଥିଲେ । ନୀତି ସହଳ ହୋଇ ଅନ୍ନ ମହାପ୍ରସାଦ ବାହାରିବାରେ ଦର୍ଶନ ସମେତ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ମିଳିଥିଲା ।
ବଡ଼ ଆନନ୍ଦରେ ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆନନ୍ଦବଜାର ହୋଇ ନାକଚଣା ଦ୍ୱାରବାଟେ ଶରଧାବାଲିକୁ ଆସୁଥିଲେ ଭକ୍ତ । ରଥାରୂଢ ହୋଇ ସାତ ମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ । ବାହୁଡ଼ାଯାତ୍ରା ପାଇଁ ପୂର୍ବ ନିର୍ଦ୍ଧାରିତ ପହଣ୍ଡି ଆରମ୍ଭ ସମୟ ୧୨ଟା ରହିଥିବା ସ୍ଥଳେ ରଥ ଟଣା ସମୟ ରହିଛି ଅପରାହ୍ନ ୪ଟା । ବାହୁଡ଼ା ନୀତି ସହଳ କରିବାକୁ ପ୍ରଶାସକ ଓ ସେବକଙ୍କ ଭିତରେ ଚାଲିଛି ସଜବାଜ । ସନ୍ଧ୍ୟା ଦର୍ଶନରେ ପୂର୍ବ ନିର୍ଦ୍ଧାରିତ ସମୟଠାରୁ ଶୁକ୍ରବାର ନୀତି ପ୍ରାୟ ଦେଢ଼ ଘଣ୍ଟା ଆଗୁଆ ରହିଛି ।
ବାହୁଡ଼ାରେ ସ୍ଥିରୀକୃତ ସମୟର ଯଥେଷ୍ଟ ପୂର୍ବରୁ ଠାକୁରଙ୍କ ପହଣ୍ଡି କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳୁଛି । ଆଜି ଶରଧାବାଲି ଥିଲା ଲୋକାରଣ୍ୟ । ଅପରାହ୍ନରୁ ଶ୍ରୀଗୁଣ୍ଡିଚା ଘରେ ଭକ୍ତଙ୍କ ଅସମ୍ଭବ ଭିଡ଼ ହୋଇଥିଲା । ସନ୍ଧ୍ୟା ପାଖେଇବା ବେଳକୁ ଶରଧାବାଲିରେ ଭିଡ଼ ବଢୁଥିଲା । ଘୋଷଣା ହୋଇଥିଲା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ମିଳିବ । ହେଲେ ଅପରାହ୍ନ ୫ଟା୧୫ ମିନିଟ୍ରେ ବାରିକେଡ଼୍ରେ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନଥିଲା । ଏଣୁ ହଜାର ହଜାର ଭକ୍ତ ଠାକୁରଙ୍କ ସନ୍ଧ୍ୟା ଦର୍ଶନ ନପାଇ ମନଦୁଃଖରେ ଫେରିଥିବା ଲକ୍ଷ୍ୟ କରାଯାଇଥିଲା ।
ସନ୍ଧ୍ୟା ଦର୍ଶନ ଅବସରରେ ଠାକୁରଙ୍କ ନୀତି ଶୃଙ୍ଖଳିତ ଥିଲା । ସେବକ ଓ ପ୍ରଶାସକ ମିଳିତ ଭାବେ ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ କରିବାକୁ ଲାଗି ପଡ଼ିଥିଲେ । ପ୍ରାୟ ଦେଢ଼ ଘଣ୍ଟା ଆଗୁଆ ଥିଲା ଦେବ ନୀତି । ହେଲେ ମହାପ୍ରସାଦ ଦରକୁ ନିୟନ୍ତ୍ରଣ କରା ନଯିବାରେ ଭକ୍ତମାନେ ଅଧିକ ମୂଲ୍ୟ ଦେଇ ମହାପ୍ରସାଦ କିଣିଥିବା ଅଭିଯୋଗ କରିଥିଲେ । ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚାରେ ଯାନବାହନ ଲାଗି ଯେଉଁ କଟକଣା ଥିଲା ତାହା ଅପରିବର୍ତ୍ତିତ ରହିଛି ।
ପାସ୍ ଥିବା ଗାଡ଼ିକୁ ମାଳତିପାଟପୁରଠାରୁ ସିଧା ଯିବାକୁ ଦିଆଯିବ । ଉକ୍ତ ଗାଡ଼ିଗୁଡ଼ିକ ବୀରହରେକୃଷ୍ଣପୁରରୁ ବାଇପାସ୍ରେ ଛଡ଼ାଯିବ । ବିନା ପାସ୍ଧାରୀ ସମସ୍ତ ଯାନକୁ ମାଳତିପାଟପୁରଠାରୁ ଆର୍ଓବି ଦେଇ ଗ୍ରିଡ ଷ୍ଟେସନ ଛକରୁ ତାଳବଣିଆରେ ପାର୍କିଂକୁ ଯିବେ । ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଗାଡ଼ିଗୁଡ଼ିକୁ ପାର୍କିଂ କରାଇବେ । ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଲେ ଟ୍ରାଫିକ କଟକଣା ପରିବର୍ତ୍ତନ କରାଯିବ । ଜଣେ ଶ୍ରଦ୍ଧାଳୁ କିଭଳି ଟ୍ରାଫିକକୁ ହଇରାଣ ହରକତ ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ମୋଟ ୨୦୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ସେଥିରୁ ୫୦ ପ୍ଲାଟୁନ୍ ଟ୍ରାଫିକ୍ ଡ୍ୟୁଟି କରିବେ । ରଥ ସୁରକ୍ଷାରେ ୬ ଆଇପିଏସ୍ଙ୍କୁ ନିୟୋଜିତ କରାଯାଇଛି ।