ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର

ସତ୍ୟଶିଖା (ପୁରୀ) ୨/୧୧/୨୦୨୦ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡଜମିଛି । ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଅସମ୍ଭବ ଭିଡ଼ ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଭିଡ଼ କମିଛି । ଏକ ଓଳି ହବିଷ କିମ୍ୱା ମହାପ୍ରସାଦ ଖାଇ ଏକ ମାସ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ ।ହବିଷ୍ୟାଳୀମାନେ ଯେଭଳି ସୁବିଧାରେ ଅବଢ଼ା ପାଇ ପାରିବେ ସେ ନେଇ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ମହାପ୍ରସାଦ ମିଳିବା ପାଇଁ ବ୍ୟବସ୍ଥା ହୋଇଛି । ବ୍ରତଧାରୀଙ୍କ ହରିବୋଲ, ହୁଳହୁଳିରେ କମ୍ପିଥିଲା ସିଂହଦ୍ବାର ସମ୍ମୁଖ ଅଞ୍ଚଳ । ବ୍ୟାରିକେଡ଼ ବାହରୁ ପତିତପାବନଙ୍କ ଦର୍ଶନ କରି ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥିଲେ ହବିଷ୍ୟାଳୀ । କରୋନା କଟକଣା ଯୋଗୁଁ ଏବର୍ଷ ହବିଷ୍ୟାଳୀଙ୍କ ଏତେଟା ଗହଳି ନଥିଲା । ଜଗା ଦର୍ଶନ କରିନପାରିବା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ହବିଷ୍ୟାଳୀ ଯେଭଳି ସୁବିଧାରେ ଅବଢ଼ା ପାଇ ପାରିବେ ସେ ନେଇ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାରରେ ବ୍ୟବସ୍ଥା ହୋଇଛି ।