ନ୍ୟୁଜ୍ରାଜ୍ୟ

ଦାରୁଠେଙ୍ଗରେ ଅଳିଆ ଯୁଦ୍ଧ

ସତ୍ୟଶିଖା( ଭୁବନେଶ୍ୱର )୨୬.୦୮ . ୨୦୨୨:  ଭୁବନେଶ୍ୱରରୁ ପ୍ରତିଦିନ ଦାରୁଠେଙ୍ଗ ଡମ୍ପିୟାର୍ଡକୁ ୧୦୦ ଟ୍ରିପ୍ ଅଳିଆ ଯାଇଥାଏ । ତୀବ୍ର ବିରୋଧ ଯୋଗୁଁ ଏହି ସବୁ ଅଳିଆ ସୈନିକ ସ୍କୁଲ ପାଖ ଅସ୍ଥାୟୀ ଅଳିଆଗଦାରେ ପଡୁଛି । ସେଠି ବି ଅସମ୍ଭାଳ ପରିସ୍ଥିତି । ଅଳିଆ ଖଲାସ ନ କରି ଶତାଧିକ ଗାଡ଼ି ରାସ୍ତାରେ ଠିଆ ହୋଇଛନ୍ତି । ଫଳରେ ସହର ପରିମଳ ଅବସ୍ଥା ବିଗିଡି ଯାଇଛି । ରାସ୍ତା ସାରା ଅଳିଆ ପଡ଼ି ରହିଛି । ସହର ଭିତରେ ଥିବା ଏକାଧିକ ଟ୍ରାଞ୍ଜିଟ୍ ସେଣ୍ଟର ମଧ୍ୟ ଉଛୁଳି ପଡିଲାଣି । ସ୍ମାର୍ଟସିଟି ଦୁର୍ଗନ୍ଧରେ ଫାଟି ପଡୁଛି ।ଦାରୁଠେଙ୍ଗରେ ଅଳିଆ ଯୁଦ୍ଧ। ଯାହାକୁ ନେଇ ତୀବ୍ର ଧରିଛି ଆନ୍ଦୋଳନ।

କୌଣସି ଜାଗାରେ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି । ସବୁ ବିରୋଧକୁ ସାମ୍ନା କରି ପୁଲିସ ବଳୟରେ ଅଳିଆ ପକାଇବାକୁ ବିଏମସି ପ୍ରସ୍ତୁତି ଚଲାଇଥିବାବେଳେ ଗ୍ରାମବାସୀ ବି ତୀବ୍ର ବିରୋଧ ପାଇଁ ସଜବାଜ ହେଲେଣି । ଫଳରେ ଅଳିଆକୁ ନେଇ ଆଜି ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଡମ୍ପିଂୟାର୍ଡକୁ ଲମ୍ବିଥିବା ସବୁ ରାସ୍ତାରେ ପୁଲିସ ଜଗିବେ ।ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଶୁକ୍ରବାରଠୁ ଗଡ଼ିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅଳିଆ ଗାଡ଼ି । ପୁଲିସର କଡ଼ା ସୁରକ୍ଷା ବଳୟ ଭିତରେ ଅଳିଆ ପକାଇବ ବିଏମସି ।ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଛାଉଣି କରିଦେବେ ପୁଲିସ । ଡମ୍ପିଂୟାର୍ଡକୁ ଲମ୍ବିଥିବା ସବୁ ରାସ୍ତାରେ ପୁଲିସ ଜଗିବେ ।

ବିଏମ୍‌ସିର ଅଳିଆ ଗାଡ଼ି ଧକ୍କାରେ ଦାରୁଠେଙ୍ଗ ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପୁରୁଣା ବିବାଦ ପୁଣି ଉଠିଥିଲା । ଏଥର ଗ୍ରାମବାସୀ ପୂରା ସଂକଳ୍ପବଦ୍ଧ ହୋଇ ବିରୋଧକୁ ଓହ୍ଲାଇଥିଲେ । ଗୋଟିଏ ଜିଦ୍‌-ବିଏମ୍‌ସି ଅଳିଆ ଆମ ଗାଁରେ ପଡ଼ିବନି । ଶତାଧିକ ଗ୍ରାମବାସୀ ରାସ୍ତାରୋକ କରିବା ସହ ଅଳିଆ ଗାଡ଼ିକୁ ଡମ୍ପିଂୟାର୍ଡ ଭିତରକୁ ପୂରାଇ ଦେଇନଥିଲେ ।ଏଥିପାଇଁ ପ୍ରାୟ ୧୫ ଦିନ ହେବ ରାଜଧାନୀରେ ଅଳିଆ ପକା ଠପ୍ ହୋଇଯାଇଛି । ଦୁଇ ସପ୍ତାହ ହେଲା କୁଢ଼କୁଢ଼ ଅଳିଆ ଜମି ରହିଛି ସହର ଭିତରେ ।

ଭୁବନେଶ୍ୱର ସ୍ମାର୍ଟସିଟିରୁ ଅଳିଆ ସିଟି ହୋଇଗଲାଣି ସହର ଭିତରୁ ଅଳିଆ ଉଠିବା ଆରମ୍ଭ ହୋଇଛି । ମାତ୍ର ସୈନିକ ସ୍କୁଲ ପାଖ ଅସ୍ଥାୟୀଅଳିଆଗଦା ଉଛୁଳିଲାଣି । ଆଉ ଜାଗା ନାହିଁ । ତେଣୁ ଅଳିଆ ଭର୍ତ୍ତି ଶତାଧିକ ଗାଡ଼ି ଧାଡ଼ିରେ ଛିଡ଼ା ହୋଇଛନ୍ତି । ଅପେକ୍ଷା କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସି ଗନାଲକୁ । ସବୁଜ ସଙ୍କେତର ହୁଇସିଲ ବାଜିଲେ ସବୁ ଛୁଟିବେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ଅଭିମୁଖେ ।ସଫେଇ ପାଇଁ ୬ଟି ନୂଆ ସଂସ୍ଥା ଟେଣ୍ଡର ପାଇଥିବାବେଳେ ଏଥିରୁ ଦୁଇଟି ସଂସ୍ଥା କାମ ଆରମ୍ଭ କରିଛନ୍ତି । କିନ୍ତୁ ଆରମ୍ଭରୁ ବିବାଦ ଭିତରେ ଘାଣ୍ଟି ହୋଇଗଲେଣି ।

ଏପଟେ ନୂଆ ସଂସ୍ଥା ପାଖରେ ଆବଶ୍ୟକ ଭିତ୍ତିଭୂମି ଓ ସରଞ୍ଜାମ ନ ଥିବା ଅଭିଯୋଗ ହେଲାଣି । ଅଳିଆ ବୁହା ପାଇଁ କେଉଁଠି ଆବଶ୍ୟକ ଟ୍ରଲି ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟାରେ ଗାଡ଼ି ନାହିଁ ।ଗୋଟିଏ ପଟେ ଦାରୁଠେଙ୍ଗ ବିବାଦ ଓ ଅନ୍ୟପଟେ ନୂଆ ସଂସ୍ଥାର ସମସ୍ୟାକୁ ନେଇ ରାଜଧାନୀ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଚାରିଆଡ଼ୁ ସମାଲୋଚନାରେ ପୋତି ହୋଇ ପଡ଼ିଛି ବିଏମସି । ଲୋକଙ୍କ ଅସନ୍ତୋଷ ତେଜିବାରେ ଲଗିଛି ।

Show More
Back to top button