ଧର୍ମନ୍ୟୁଜ୍ରାଜ୍ୟ

ଆଜି ପବିତ୍ର ଅଁଳା ନବମୀ,ସାକ୍ଷୀଗୋପାଳ ମନ୍ଦିରରେ 144 ଧାରା

ସତ୍ୟଶିଖା ( ପୁରୀ )୧୨ /୧୧ /୨୦୨୧: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ ।

ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିରରେ ପବିତ୍ର ରାଧାପାଦ ଦର୍ଶନ ମିଳିଥାଏ । ଦେଖିବାକୁ ମିଳିଥାଏ ମା’ଙ୍କ ଓଡିଆଣି ବେଶ । ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଆଜି ମନ୍ଦିର ସମ୍ପୂର୍ଣ୍ଣ ଖାଁଖାଁ । ଭକ୍ତଶୂନ୍ଯ ମନ୍ଦିର ପରିସର । ସବୁଠି ପହରା ଦେଉଛନ୍ତି ପୋଲିସ । କୋରୋନା ମହାମାରୀ ଯୋଗୁଁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କୋଭିଡ୍ ଗାଇଡଲାଇନ୍ ଆଧାରରେ ଆଜି ଅଁଳା ନବମୀ ଅବସରରେ ଗୋପିନାଥ ଦେବ ମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା ।

ଭୋର ୪ଟାରୁ ୧୪୪ ଧାରା ମଧ୍ୟରେ ଚାଲିଛି ଶୃଙ୍ଖଳିତ ନୀତିକାନ୍ତି । ମନ୍ଦିରର ଦୁଇଶହ ମିଟର ପରିଧି ମଧ୍ଯକୁ ଭକ୍ତଙ୍କ ପ୍ରବେଶ ମନା । କେବଳ ସେବାୟତଙ୍କ ପାଇଁ ରହିଛି ପ୍ରବେଶ ଅନୁମତି । ସକାଳୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ପରେ ପ୍ରଭୁଙ୍କର ବେଶ ନୀତି ସମ୍ପୂର୍ଣ୍ଣ ହେବା ପରେ ମାଆ ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି । ତେବେ ଅଁଳା ନବମୀରେ ରାଧାପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ଦୁଇ ଦିନ ୧୪୪ ଧାରା ଜାରା କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର ୪ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

Show More
Back to top button