ଆଜି ରଜ ସଂକ୍ରାନ୍ତି, ଧୁମ୍‌ଧାମ୍‌ରେ ପାଳନ ହେଉଛି ରଜ ମଉଜ

ସତ୍ୟଶିଖା(ଭୁବନେଶ୍ୱର )୧୫.୦୬. ୨୦୨୨ : ଆଜି ରଜ ସଂକ୍ରାନ୍ତି। ତିନିଦିନ ଧରି ପାଳନ ହେଉଥିବା ରଜ ପର୍ବର ୨ୟ ଦିନ। ଘରେ ଘରେ ପିଠା ପଣାର ମହକ । ଝିଅ ମାନେ ଦୋଳି ଖେଳି, ପିଠା ପଣା , ପାନ ଖାଇ ମଉଜ କରୁଛନ୍ତି। ବନ୍ଧୁ, ପରିଜନଙ୍କ ସହ ଘରେ ରହି ପିଠା ପଣା ଖାଇବା ସହ ଦୋଳି ଲୁଡୁ ଏବଂ ତାସ ଖେଳି ପରିବାର ସହିତ ରଜ ପାଳୁଛନ୍ତି ରାଜ୍ୟ ବାସୀ।

ସେହିପରି ଚଳିତ ବର୍ଷ କୋରୋନା କଟକଣା ନଥିବାରୁ ରଜ ଅବସରରେ ରାଜ୍ୟ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ମଧ୍ୟ ବେଶ ଭିଡ ପରିଲିକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଆଜି ରଜ ସଂକ୍ରାନ୍ତିରୁ ଆଷାଢ ମାସ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଭଲ ବର୍ଷା ହେଲେ ଭଲ ଫସଲ ଦୁଇ ମୁଠା ଫଳାଇବା ନେଇ ଚାଷୀ ମନରେ ଆଶା ସଞ୍ଚାର ହେଉଛି।

ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ  ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡିଆ ପରିବାର  ବେଶ୍ ଧୁମ୍‌ଧାମରେ  ପାଳନ କରିଥାନ୍ତି । କୃଷି ଓଡିଶାର ମୁଖ୍ୟ ଜୀବିକା ହୋଇଥିବାରୁ  ମାଟି ମାକୁ ବିଶ୍ରାମ ଦେବା ଏହି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ।   ଘରେ ଘରେ ଆନନ୍ଦ ଉତ୍ସାହରେ ପାଳିଥାନ୍ତି ଏହି ପର୍ବ । ଓଡିଆ ଘରର ପ୍ରତି ଝିଅ ଚାତକ ଭଳି ଅପେକ୍ଷା କରିଥାନ୍ତି ଏହି ପର୍ବକୁ ।

ଓଡିଶା ସଂସ୍କୃତିକୁ ବଜାୟ ରଖିବା ପାଇଁ ଭଳିକି ଭଳି ଶାଢୀ ଓ ପାରମ୍ପରିକ ପୋଷାକରେ ନିଜକୁ ସଜାଇଥାନ୍ତି ଯୁବତୀମାନେ । ଏହି ପର୍ବରେ ଝିଅଙ୍କୁ ଘରର କାମ କରିବା ପାଇଁ ପଡିନଥାଏ । ରଜ ଗୀତ, ରଜ ପାନ ଆଉ ରଜ ଗୀତରେ ଉଛୁଳି ପଡୁଛି ଗାଁ ଗଣ୍ଡା । ସକାଳର ସୂର୍ଯ୍ୟ ଉଦୟ ପରେ ଜମିଛି ରଜର ଆସର ।

Exit mobile version