ସତ୍ୟଶିଖା ୦୩/୧୨/୨୦୨୦ : ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ । ଦିବ୍ୟାଙ୍ଗମାନଙ୍କୁ ସଶକ୍ତିକରଣ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଉଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ବହୁ ସମୟରେ ଦିବ୍ୟାଙ୍ଗମାନଙ୍କୁ ସବୁ କାର୍ଯ୍ୟ ପାଇଁ ଅକ୍ଷମ ବୋଲି ଆଲୋଚନା ହୁଏ । ତେଣୁ ସେମାନଙ୍କୁ ବହୁ ସ୍ଥାନରେ ଅବହେଳା ଓ ହୀନ ଚକ୍ଷୁରେ ଦେଖାଯାଏ । କିନ୍ତୁ ଏବେ ସମୟ ସହ ତାଳ ଦେଇ ଦିବ୍ୟାଙ୍ଗ ନିଜକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି । ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସଫଳ ହେବାକୁ ପ୍ରୟାସ ଜାରି ରଖିଛନ୍ତି । ସେହିପରି କିଛି ଦିବ୍ୟାଙ୍ଗମାନଙ୍କୁ ନେଇ ଆଜି ଯାଜପୁର ଜିଲ୍ଲା ଜାତୀୟ ସ୍ତରରେ ଗର୍ବିତ ହୋଇଛି । କିନ୍ତୁ ପ୍ରଶାସନିକ ଓ ସରକାରୀ ଅଣଦେଖା ସେମାନଙ୍କ ପ୍ରତିଭାକୁ ବିକଶିତ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।
ଦିବ୍ୟାଙ୍ଗ କୈଣସି ଗୁଣରେ କମ୍ ନୁହନ୍ତି ଓ ସମାଜ ପାଇଁ ସେମାନଙ୍କର ମଧ୍ୟ ବହୁ ଦାୟିତ୍ୱ ରହିଛି । ମାତ୍ର ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ମିଳିଲେ ସେ ସେମାନଙ୍କ ପାଖରେ ଥିବା ଅନ୍ତର୍ନିହିତ ଗୁଣ ବିକାଶ କରିପାରିବେ । ଏହିପରି ବହୁ ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ଥାଇ ମଧ୍ୟ ଲୋକଲୋଚନ ନଆସିବା ଫଳରେ ସେମାନଙ୍କ ଗୁଣ ପ୍ରସ୍ଫୁଟିତ ହୋଇପାରୁନାହିଁ । ସେହିପରି ଏକ ପ୍ରତିଭାବାନ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଫେନସିଙ୍ଗ କ୍ରୀଡାବିତ୍ ଆଜି ପ୍ରଶାସନ ଆଢୁଆଳରେ ରହିଯାଇଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ନିଜ ଚେଷ୍ଟାରେ ଯୁକ୍ତ ତିନି ପରେ ରାଜ୍ୟର ପ୍ରଥମ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଭାବେ ତାଲିମ ନେଇ ଗୌରବ ଅର୍ଜନ କରିପାରିଛନ୍ତି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକର ଟମକା ଅଞ୍ଚଳର ପ୍ରକାଶ ସାହୁ ଓ ପଦ୍ମିନୀ ସାହୁଙ୍କ ସୁପୁତ୍ର ଦେବାମୃତ ସାହୁ । ନିଜଚେଷ୍ଟା ବଳରେ ନିଜର ପତିଭାକୁ ବିକଶିତ କରି ସର୍ବଭାରତୀୟ ଦଳରେ ହୁଇଲ ଚେୟାର ଫେନସର ଭାବେ ନିଜର ସ୍ଥାନ ବଜାୟ ପାରିଛନ୍ତି ସତ, ମାତ୍ର ପ୍ରୋତ୍ସାହନ ଅଭାବରୁ ଏହି କ୍ରୀଡାକୁ ଆଗକୁ ନେଇ ପାରୁନାହାନ୍ତି । ସେହିପରି ଦିବ୍ୟାଙ୍ଗ କ୍ରୀଡାବିତଙ୍କୁ ନିଯୁକ୍ତି ଯୋଗାଇ ଦେବାପାଇଁ ପ୍ରତିଶୃତି ଥିବା ବେଳେ ଏଭଳି ଆନ୍ତର୍ଜାତୀୟ କ୍ରୀଡାବିତଙ୍କୁ ନିଯୁକ୍ତି ନମିଳିବା ଦୁଃଖ ଦାୟକ ଘଟଣା । ନିଜର ଉଦ୍ୟମ ବଳରେ ସଫଳତାର ସ୍ବାଦ ଚାଖୁଥିବା ଦେବାମୃତ ଟମକା ଠାରେ ଦୀର୍ଘ ଦୁଇ ବର୍ଷ ହେଲା ୩୦/୪୦ ଜଣ ପୁଅ ଝିଅକୁ ମାଗଣା ଶାରୀରିକ ଶିକ୍ଷା ପ୍ରଦାନ କରିବା ସହ ଫେନସିଙ୍ଗ କ୍ରୀଡା କଳାର ପ୍ରଶିକ୍ଷଣ ଦେଉଛନ୍ତି ।
ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ
