

ସତ୍ୟଶିଖା( ଭୁବନେଶ୍ୱର)୧୨ .୦୭ . ୨୦୨୨: ଆସନ୍ତାକାଲି ଠାରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହା ମୁଖ୍ୟ ପର୍ଯ୍ୟାୟ । ବିଭାଗୱାରୀ ଡିମାଣ୍ଡ ଆଲୋଚନା ହେବ । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ସେହି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆକାରରେ ଆଣିଲେ ଆଲୋଚନା କରାଯିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।
ଅନ୍ୟପଟେ ପ୍ରଶ୍ନକାଳ ସ୍ୱଭାବିକ ଭାବେ ଚଲାଇବା ପାଇଁ ଉଭୟ ବିରୋଧୀ ଓ ଶାସକ ଦଳଙ୍କ ସହଯୋଗ ଲୋଡିଲେ ବାଚସ୍ପତି । ପ୍ରଶ୍ନକାଳ ସମୟରେ କୌଣସି ବିଶୃଙ୍ଖଳା କି ପାଟିତୁଣ୍ଡ ନ କରିବା ପାଇଁ ସମସ୍ତ ଦଳଙ୍କୁ ଅନୁରୋଧ କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ପ୍ରଶ୍ନକାଳକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ପଦକ୍ଷେପ ନେଇଛନ୍ତି ।
ଏହାବାଦ ବାଚସ୍ପତି ଆହୁରି କହିଛନ୍ତି ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ପ୍ରସ୍ତାବ ଉପସ୍ଥାପିତ ହେବ । 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିନଥିବ ତାହା 29 ତାରିଖରେ ଗିଲୋଟିନ ଜରିଆରେ ପାରିତ କରାଯିବ । 30 ତାରିଖରେ 2022-23 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପ୍ରଶ୍ନକାଳ ସ୍ୱାଭାବିକ କରିବା ପାଇଁ ସବୁ ବିଧାୟକଙ୍କ ସହଯୋଗ ମୁଁ ଲୋଡିଛି ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।