ନ୍ୟୁଜ୍ରାଜ୍ୟ

୨ ଦିନ ଉପକୂଳରେ ହାଲୁକା ବର୍ଷା ଆଶଙ୍କା

ସତ୍ୟଶିଖା(ଭୁବନେଶ୍ୱର) ୦୮ .୧୨.୨୦୨୧: ରାଜ୍ୟ ଉପକୂଳ ଦେଇ ବାତ୍ୟା ଜୱାଦ ଅତିକ୍ରମ କରିସାରିଛି । ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପରେଖା ପାଇଁ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରିରହିଛି । ଗତ ୨୪ ଘଣ୍ଟାରେ କୋରାପୁଟ, ମାଲକାନାଗିରି, ରାୟଗଡ଼ା ଭଳି କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବାବେଳେ ବୁଧବାର ରାଜ୍ୟର ୯ ଉପକୂଳ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷାହେବା ଆଶଙ୍କା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଆସନ୍ତା ୨ ଦିନ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକା ବର୍ଷା ଆଶଙ୍କା ଥିବାବେଳେ ୧୦ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ନେଇ ପୂର୍ବାକଳନ କରାଯାଇଛି ।

ପାଗ ଶୁଖିଲା ରହିବା ସହ ରାଜ୍ୟରେ ଶୀତର ପରିମାଣ ଅଧିକ ବୃଦ୍ଧିପାଇବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ଜିଲ୍ଲାରେ ପାରଦ ୧ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି । ହେଲେ ଆସନ୍ତା ୧୦ ତାରିଖ ପରଠାରୁ ରାତି ପାରଦ ୩ରୁ ୫ ଡିଗ୍ରୀ ଯାଏ ଖସିବା ନେଇ ଆକଳନ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ଶ୍ରୀ ବିଶ୍ୱାସ କହିଛନ୍ତି, ବୁଧବାର ବିଶେଷ କରି ଦକ୍ଷିଣ ଓଡ଼ିଶାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନୟାଗଡ଼ା, ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିକ୍ଷିପ୍ତ ବର୍ଷା ଆଶଙ୍କା ରହିଛି । ସେହିପରି ୯ ତାରିଖ ଦିନ ମାଲକାନାଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀକୁ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଏବେ ରାତି ପାରଦ ସ୍ୱାଭାବିକ ତଥା ତା’ଠୁ ସାମାନ୍ୟ ଅଧିକ ରହୁଥିବା ନଜରକୁ ଆସିଛି ।

ଉପକୂଳ ଅଞ୍ଚଳର ବାୟୁମଣ୍ଡଳରେ ବର୍ଷା ପାଇଁ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ଆସନ୍ତା ଦିନେ ଦୁଇଦିନ ଉପକୂଳରେ ପାରଦ ତଳକୁ ଖସି ନପାରେ । କିନ୍ତୁ ୧୦ ତାରିଖ ପରଠାରୁ ଉପାନ୍ତଠୁ ଉପକୂଳ ସବୁଠି ପାରଦ ନିମ୍ନଗାମୀ ହେବା ନେଇ ଆକଳନ କରାଯାଇଛି । ସେହିପରି ଏବେ ଆଭ୍ୟନ୍ତରୀଣରେ ପାରଦ ନିମ୍ନଗାମୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସମତଳ ଅଞ୍ଚଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ଥିବାବେଳେ ପାହାଡ଼ି ଅଞ୍ଚଳ ଦାରିଙ୍ଗବାଡ଼ିରେ ପାରଦ ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ଦୁଇଦିନ ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ଥିଲେ ହେଁ, ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପାଗ ଶୁଖିଲା ରହିବ । ତେଣୁ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣକୁ ଶୀତ ଶୀଘ୍ର ଲେଉଟିବ ଓ ହାଡ଼ଭଙ୍ଗା ଜାଡ଼ ଅନୁମୂତ ହେବା ଆକଳନ କରାଯାଇଥିବା ଶ୍ରୀ ବିଶ୍ୱାସ କହିଛନ୍ତି ।

Show More
Back to top button