
ସତ୍ୟଶିଖା (ଡେରାଡୁନ) ୦୩/୧୦/୨୦୨୦ : ଉତ୍ତରାଖଣ୍ଡ ବିଜେପି ବିଧାୟକ ମହେଶ ନେଗିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା । ମାମଲାର ସିବିଆଇ ତଦନ୍ତ ପାଇଁ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ବିଜେପି ବିଧାୟକ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଫଳରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ମହିଳା ଜଣଙ୍କ ବିଜେପି ବିଧାୟକଙ୍କୁ ତାଙ୍କ ନବଜାତ ଶିଶୁର ବାପା ବୋଲି ମଧ୍ୟ କହିଛନ୍ତି ।ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ୪ ପୃଷ୍ଠାର ଚିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି । ମହିଳା ଜଣଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ରାଜ୍ୟ ବିଜେପି ସରକାର ଏବଂ ପୋଲିସ ଅଭିଯୁକ୍ତ ବିଧାୟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ପୀଡିତାଙ୍କ ଓକିଲ କହିଛନ୍ତି ଯେ, ଘଟଣାର ସିବିଆଇ ତଦନ୍ତ ପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଗୁରୁବାର ଦିନ ଚିଠି ଲେଖିଛୁ । ପୋଲିସ ଏବଂ ପ୍ରଶାସନ ଅଭିଯୁକ୍ତ ବିଧାୟକଙ୍କୁ ବଞ୍ଚାଇବାକୁ ଯାଇ ନିରପେକ୍ଷ ତଦନ୍ତ କରୁନାହାନ୍ତି । ପୋଲିସ ଅଭିଯୁକ୍ତ ବିଧାୟଙ୍କ ସହ ମହିଳାଙ୍କୁ ଆପୋଷ ବୁଝାମଣା ପାଇଁ ମଧ୍ୟ ପ୍ରବର୍ତ୍ତାଉଛି ।
ମାତ୍ର ପୋଲିସ ଏହାକୁ ଖଣ୍ଡନ କରିଛି । ଡେରାଡୁନର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୋଗକାରିଣୀ ଦାବି କରିଥିଲେ ଯେ, ତଦନ୍ତକାରୀ ଅଧିକାରୀଙ୍କୁ ପରିବର୍ତ୍ତନ କରିବା ପାଇଁ, କାରଣ ତାଙ୍କ ଉପରେ ତାଙ୍କର ଭରଷା ନଥିଲା । ସେଥିପାଇଁ ମାମଲାକୁ ଏକ ସ୍ବତନ୍ତ୍ର ଟିମ୍ କୁ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ମହିଳା ଜଣଙ୍କ ଗୃହ ସଚିବଙ୍କୁ ମଧ୍ୟ ଚିଠି ଲେଖି ମାମଲାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ତାର କୌଣସି ଉତ୍ତର ମିଳିନାହିଁ ବୋଲି ମହିଳାଙ୍କ ଓକିଲ ପ୍ରକାଶ କରିଛନ୍ତି । ଯଦି ସିବିଆଇ ତଦନ୍ତ କରାନଯାଏ ତେବେ ଆମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ସେ କହିଛନ୍ତି ।