ସତ୍ୟଶିଖା (ଭୁବନେଶ୍ୱର) ୨୩/୧୧/୨୦୨୦ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ୨୪ ତାରିଖରେ ‘ନିଭାର’ ବାତ୍ୟା ରୂପ ନେବ ବୋଲି ଅନୁମାନ କରାଯାଉଛି । ଯାହା ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାସହ ଆସନ୍ତା ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସଷ୍ଟି ହୋଇ ୩୦ରେ ଲଘୁଚାପର ରୂପ ନେବ ବୋଲି ଅନୁମାନ କରିଛନ୍ତି ପାଣିପାଗବିତ୍ ।
କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ, ସମ୍ଭାବ୍ୟ ‘ନିଭାର’ ବାତ୍ୟାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ସେହିପରି ପବନର ଆଶଙ୍କା ନାହିଁ । କିନ୍ତୁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ଓ ବର୍ଷା ସହିତ ଶୀତ ମଧ୍ୟ କମିବ। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ବ୍ୟତୀତ ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରଭାବ ପଡିପାରେ । ନଭେମ୍ବର ୨୬ ତାରିଖରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ । ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀରରେ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଭାରୀ ବର୍ଷାର ସମ୍ଭାବନମା ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ହୋଇପାରେ। ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼ ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ ବୋଲି । ତେବେ ୨୬ ଓ ୨୭ ତାରିଖରେ ତାପମାତ୍ରା କମିବା କାରଣରୁ ଅଧିକାଂଶ ଅଞ୍ଚଳରେ ପାଗ କୋହଲା ରହିବ । ୨୪ରୁ ଶୀତ କମି ୨୯ରେ ପୁଣି ଶୀତ ବଢ଼ିବ । ତେବେ ଡିସେମ୍ବର ୩ ଆଗରୁ ବିଶେଷ ଶୀତ ଅନୁଭୂତ ହେବ ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ଏତତ୍ ବ୍ୟତୀତ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ମଙ୍ଗଳବାର ରାଜ୍ୟରେ ଶୁଖିଲା ପାଗ ରହିବ । ୨୫ ଓ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।