ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା


ଇସଲାମାବାଦ: ପାକିସ୍ତାନର ଜାତୀୟ ଟିମ୍ ଉପରେ ଏବେ କରୋନା ଚଡ଼କ ପଡ଼ିଛି। ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଖେଳାଳିମାନେ ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେବାରେ ଲାଗିଛି। ଗତକାଲି ୩ ଜଣ ପାକ୍ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଆଜି ଆଉ ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।
କରୋନାରେ ସଂକ୍ରମିତ ୧୦ କ୍ରିକେଟରଙ୍କ ମଧ୍ୟରେ ବହୁ ଷ୍ଟାର ଖେଳାଳି ରହିଛନ୍ତି। ଏମାନେ ସମସ୍ତେ ଜୁନ୍ ୨୮ରୁ ଇଂଲଣ୍ଡ ଗସ୍ତ କରିଥାଆନ୍ତେ। ଆଜି ସଂକ୍ରମିତ ହୋଇଥିବା ୭ ଖେଳାଳିଙ୍କ ମଧ୍ୟରେ ଫଖର ଜମାନ, ଇମ୍ରାନ ଖାନ୍, କାଶିଫ ଭାଟ୍ଟି, ମହମ୍ମଦ ହାଫିଜ, ମହମ୍ମଦ ହାସନାଇନ, ମହମ୍ମଦ ରିଜୱାନ ଓ ୱାବ ରିୟାଜ ରହିଛନ୍ତି। ସୋମବାର ହାଇଦର ଅଲୀ, ହରିଶ ରୌଫ ଓ ଶାଦବ ଖାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା।
ଆହୁରି ପଢ଼ନ୍ତୁ
ଆଜି ୭ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନ ଟିମ୍ର ସପୋର୍ଟିଂ ଷ୍ଟାଫ ମାଲାଙ୍ଗ ଅଲୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ପିସିବି ପକ୍ଷରୁ କୁହାଯାଇଛି ଯେ ସୋଏବ ମାଲିକ, କ୍ଲିଫ ଡେକୋନ ଓ ୱାକର ୟୁନିସଙ୍କ କରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିନାହିଁ।
ହାଇଦର, ଶଦାବ ଓ ହରିଶଙ୍କ କରୋନା ଲକ୍ଷଣ ଦେଖାଯାଉଥିଲା। ହେଲେ ଆଜି ଚିହ୍ନଟ ହୋଇଥିବା ଖେଳାଳିଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନଥିଲା। ସମସ୍ତ ଖେଳାଳିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।
ଏହାପୂର୍ବରୁ ଜୁନ୍ ୧୩ରେ ପୂର୍ବତନ ପାକିସ୍ତାନ ଖେଳାଳି ଶାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଥିଲେ।