ଦେଶରାଜ୍ୟ

ଫେରିଯିବ ବାଘୁଣୀ ‘ସୁନ୍ଦରୀ’, ମଧ୍ୟପ୍ରଦେଶରୁ ଆସୁଛନ୍ତି ୮ ଜଣିଆ ଟିମ୍‌

ସତ୍ୟଶିଖା,(ଅନୁଗୋଳ/ବନ୍ତଳା ) ୨୦.୦୩ .୨୦୨୧ : ସାତକୋଶିଆରୁ ନିଜ ଜନ୍ମ ମାଟିକୁ ଫେରିଯିବ ସୁନ୍ଦରୀ। କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି ବାଘୁଣୀର ବାହୁଡା ପ୍ରକ୍ରିୟା। ବାଘୁଣୀକୁ ଫେରାଇ ନେବା ପାଇଁ ଏକ ସ୍ୱତନ୍ତ୍ର ଟିମ ସାତକୋଶିଆ ଅଭିମୁଖେ ବାହାରିଥିବା ସୂଚନା ମିଳିଛି। ସୁନ୍ଦରୀ ସାତକୋଶିଆର ଏନକ୍ଲୋଜରରେ ୨ ବର୍ଷରୁ ଅଧିକ ଥିଲା। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ବାଘୁଣୀ ଫେରିଯିବା ନେଇ
ପ୍ରକ୍ରିୟା ଆରମ୍ଭ ହେବ। ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଏକ ଗାଡିକୁ ନେଇ ଏହି ଟିମ ସାତକୋଶିଆ ଅଭିମୁଖେ ବାହାରିଛି। ଏହି ଗାଡ଼ିରେ ବାଘୁଣୀ କିପରି ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ନିଜ ଜନ୍ମମାଟିକୁ ଫେରିଯିବ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଟିମରେ ପ୍ରାଣୀ ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକଙ୍କ ସହ ଦୁଇ ଜଣ ଏସିଏଫ ଥିବା ଜଣାପଡିଛି। ଏହି ୮ ଜଣିଆ ଟିମ ୨/୩ ଦିନ ମଧ୍ୟରେ ଅନୁଗୋଳ ପହଞ୍ଚିବ ବୋଲି ଜଣାଯାଇଛିି। ଏହି ଟିମ ପହଞ୍ଚିବା ପରେ ପ୍ରଥମେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ତଥା ଅନୁଗୋଳ ବନମଣ୍ଡଳର ଆରସିସିଏଫଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଏଠାରୁ ଏହି ଟିମ ଆଲୋଚନା ପରେ ସିଧାସଳଖ ସାତକୋଶିଆର କୋର ଜଙ୍ଗଲ ରାଇଗୁଡ଼ା ଯିବାର ଯୋଜନା ରହିଛି। ଏହି ଟିମରେ ଆସିଥିବା ପ୍ରାଣୀ ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ନିରୀକ୍ଷା କରାଯିବ। ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ପରେ ଏହାକୁ ଫେରାଇ ନେବାକୁ ଆରମ୍ଭ ହେବ ପ୍ରକ୍ରିୟା। ବିଶେଷଜ୍ଞମାନଙ୍କ ଦ୍ବାରା ଏହାକୁ ଟ୍ରାଙ୍କୁଲାଇଜ କରିବା ପରେ ଆସିଥିବା ସ୍ୱତନ୍ତ୍ର ଗାଡିରେ ମଧ୍ୟପ୍ରଦେଶ ଫେରାଇ ନିଆଯିବ ବୋଲି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି।

Show More
Back to top button