

ସତ୍ୟଶିଖା (ଜଟଣୀ)୦୪.୦୧.୨୦୨୨: କରୋନା ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଦ୍ରୁତ ସଂକ୍ରମଣ ଯୋଗୁ ସମସ୍ତଙ୍କ ମନରେ ଛନକା ପଶିଛି । ଆଜି ରାଜ୍ୟରେ ୬୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହିକ୍ରମରେ ମଙ୍ଗଳବାର ଜଟଣୀ ସ୍ଥିତ ନାଇଜରରୁ ମାତ୍ରାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନାଇଜର ନ୍ୟାସନାଲ ଇଷ୍ଟିଚୁ୍ୟଟ ଅଫ୍ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚରେ ଏକାବେଳେ ୩୧ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏହି ସଂକ୍ରମିତଙ୍କ ମଧ୍ୟରେ ୩୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ରହିଥିବା ଜଣାପଡିଛି । ସମସ୍ତଙ୍କୁ ଏବେ ଆଇସୋଲେସନ୍ରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖଯାଇଛି । ଆବଶ୍ୟକ ଦେଖି ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ ।
ସେପଟେ ନାଇଜରରୁ ଏତେ ପରିମାଣର ପଜିଟିଭ୍ ଚିହ୍ନଟ ପରେ ଆକ୍ସନକୁ ଆସିଛି ପ୍ରଶାସନ । କ୍ୟାମ୍ପସକୁ ସାନିଟାଇଜ୍ କରିବା ସହ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜଟଣୀ ମ୍ୟୁନିସିପାଲିଟି । ଏହି ସମୟରେ ବାହାରର କୌଣସି ବ୍ୟକ୍ତି କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବ ନାହିଁ କି କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବ ନାହିଁ । ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ସମସ୍ତ ସବୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।