

ସତ୍ୟଶିଖା(ଭୁବନେଶ୍ୱର) ୧୪.୦୪.୨୦୨୧: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ଅର୍ଥାତ ବୁଧବାରଠାରୁ ଆରମ୍ଭ ହେଉଛି ରମଜାନ ମାସ। ତେଣୁ କଟକ ମହାନଗର ନିଗମ ପକ୍ଷରୁ ଗାଇଡ୍ ଲାଇନ୍ ଜାରି ହୋଇଛି।ଗ ାଇଡ୍ ଲାଇନ୍ ଅନୁଯାୟୀ ମସଜିଦରେ ନମାଜ ପାଠ ପାଇଁ ଶହେ ଲୋକଙ୍କୁ ଅନୁମତି ମିଳିବ। ମାସ୍କ ବ୍ୟବହାର ଓ ୬ ଫୁଟ ସାମାଜିକ ଦୂରତା ବାଧ୍ୟତାମୂଳକ ହୋଇଥିବା ବେଳେ ମସଜିଦ ସମ୍ମୁଖରେ ହ୍ୟାଣ୍ଡ ସାନିଟାଇଜେସନ ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି। ବୟସ୍କ ବ୍ୟକ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ନମାଜ ପାଇଁ ଅନୁମତି ମିଳିବନି ବୋଲି କୁହାଯାଇଛି।
ସେହିପରି ଭୁବନେଶ୍ଵର ମହା ନଗର ନିଗମ ରମଜାନ ମାସ ପାଳନ ନେଇ ମୁସଲମାନ ସଂପ୍ରଦାୟର ଦୁଇଟି ଗ୍ରୁପ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେଇଛି। ଖୁବ ଶୀଘ୍ର ଏସଓପି ଜାରି ହେବ। ତେବେ ଶୁକ୍ରବାର ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତାଠାରୁ ଶତକଡା ୫୦ଭାଗ ଲୋକଙ୍କ ପାଇଁ ଅନୁମତି ଦିଆଯିବ। ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ବାଧ୍ୟତାମୂଳକ ନେଇ ପୂର୍ବରୁ ସ୍ଵତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡ଼ଲାଇନ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।