ଝଡ଼ତୋଫାନ ସମ୍ଭାବନା ୬ରୁ ।


ସତ୍ୟଶିଖା ୫ .୦୯.୨୦୨୦ : ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିଛି । ତେବେ ୬ ତାରିଖ ଆଡ଼କୁ ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ ହୋଇପାରେ । ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍ ବିଶ୍ଵlସ କହିଛନ୍ତି ଯେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଝଡ଼ତୋଫାନ ଯୋଗୁଁ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୬ ତାରିଖରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର ଆଦି ଜିଲ୍ଲାରେ ଝଡ଼ତୋଫାନ ହେବାର ଆଶଙ୍କା ରହିଛି । ୭ ତାରିଖ ଦିନ ମଧ୍ୟ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଖୋର୍ଧା, ନୟାଗଡ଼, କଟକ, ଗଞ୍ଜାମ, କନ୍ଧମାଳ ଓ ବାଲେଶ୍ଵର ଜିଲ୍ଲାର କେତେକ ସ୍ଥାନରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ୮ ତାରିଖ ଦିନ ଝଡ଼ତୋଫାନର ପ୍ରଭାବ ଅଧିକ ରହିବ ।
ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ବରଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଣୁ କେନ୍ଦ୍ର ପକ୍ଷରୁ ଏହି ତିନି ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦ୍ବୈତନଗରୀ ଭୁବନେଶ୍ଵର ଓ କଟକରେ ପାଗ ଆଂଶିକ ମେଘୁଆ ରହିବ ଓ ସ୍ଥାନେ ସ୍ଥାନେ ଝଡ଼ବର୍ଷା ବି ହେବାର ସମ୍ଭାବନା ରହିଛି । ଏନେଇ ସତର୍କ ଦୃଷ୍ଟି ରଖିବା ସହ ପ୍ରସ୍ତୁତ ରହିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନ ସମସ୍ତ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ।