୫ ଯାଏ ବଜ୍ରପାତ ଓ ବର୍ଷା, ୧୦ ଜିଲ୍ଲାକୁ ଚେତାବନୀ

ସତ୍ୟଶିଖା(ଭୁବନେଶ୍ୱର) ୦୩ .୦୭.୨୦୨୧:  ରାଜ୍ୟରେ ମୌସୁମୀ ଜନିତ ବର୍ଷାର ପ୍ରଭାବ କମ୍ ରହିଛି । ଏବେ ଗତ କିଛି ଦିନ ଧରି ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇଛି । ଆସନ୍ତା ୫ ତାରିଖ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାର ରାଜ୍ୟର ପ୍ରାୟ ୧୫ ସହରରେ ବର୍ଷା ରେକର୍ଡ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ବର୍ଷାର ପରିମାଣ ଅଧିକ ରହିଛି। ଅପରାହ୍ନ ୩ଟା ୩୦ ସୁଦ୍ଧା ରାଜଭବନ ଅଞ୍ଚଳରୁ ୪୩ ମିମି, ବିମାନବନ୍ଦର ଅଞ୍ଚଳରେ ୩୭ ମିମି, ଓୟୁଏଟି ଅଞ୍ଚଳରେ ୨୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସନ୍ଧ୍ୟା ପରେ ମଧ୍ୟ ବର୍ଷା ଜାରି ରହିଛି । ତେଣୁ ବର୍ଷାର ପରିମାଣ ବଢ଼ିବ । ତେବେ ଏହାର ସମ୍ପୂର୍ଣ୍ଣ ବିବରଣୀ ଆସିପାରି ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନ ଚାପରେଖା ଶୁକ୍ରବାର ସମୁଦ୍ର-ପତ୍ତନରୁ ୦.୯ କିମି ଯାଏଁ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ହରିୟାଣା, ଉତ୍ତର ଉତ୍ତରପ୍ରଦେଶ, ବିହାର, ସବ-ହିମାଳୟ ପଶ୍ଚିମବଙ୍ଗ ମଧ୍ୟ ଦେଇ ପୂର୍ବ-ଆସାମ ଯାଏଁ ଲମ୍ବିଛି । ଯାହାଫଳରେ ଶନିବାର ରାଜ୍ୟର ୧୦ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି ଓ ବାଲେଶ୍ୱରକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ବଜ୍ରପାତ ପଡ଼ିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ରବିବାର, ସୋମବାର ଓ ମଙ୍ଗଳବାର ମଧ୍ୟ ରାଜ୍ୟର ଏକାଧିକ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ପାଣିପାଗ କେନ୍ଦ୍ର ପ୍ରଦତ୍ତ ତଥ୍ୟ ଅନୁଯାୟୀ ଜୁନ ୧ରୁ ଏଯାବତ୍ ଓଡ଼ିଶାରେ ୧୯୩.୭ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୨୩୫.୬ ମିମି ଠାରୁ ୧୮ ପ୍ରତିଶତ କମ୍ । ଏଯାବତ୍ ୧୪ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, ରାୟଗଡ଼ା, ଗଞ୍ଜାମ, ଗଜପତି, କଳାହାଣ୍ଡି, ଅନୁଗୁଳ, ଦେବଗଡ଼,ନୟାଗଡ଼, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହୋଇଛି, ଯାହା ସ୍ୱାଭିବିକ ବର୍ଷାଠୁ ୨୦ରୁ ୫୯% ଯାଏ କମ୍ ରହିଛି । ୩ ଜିଲ୍ଲା ପୁରୀ, କେନ୍ଦ୍ରାପଡା ଓ କୋରାପୁଟରେ ସ୍ୱାଭାବିକଠୁ ୨୦ରୁ ୫୯% ଯାଏ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି ।

କୋରାପୁଟରେ ସର୍ବାଧିକ ୨୯୮.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ୧୦୩.୧ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷାଠୁ ଭଦ୍ରକରେ ୫୪%, ଗଜପତିରେ ୪୯%, କେନ୍ଦୁଝରରେ ୪୪%, ଯାଜପୁରରେ ୪୩% ଏବଂ ଗଞ୍ଜାମରେ ୪୭% କମ୍ ବର୍ଷା ରେକର୍ଡ ହୋଇଛି । ସେହିପରି ସ୍ୱାଭାବିକ ବର୍ଷାଠୁ କୋରାପୁଟରେ ସର୍ବାଧିକ ୩୦%, ପୁରୀରେ ୨୩% ଏବଂ କେନ୍ଦ୍ରାପଡ଼ାରେ ୨୧% ଅଧିକ ବର୍ଷା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମୋଟ ୩୦୮.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଶୁକ୍ରବାର ଦିନକରେ ପ୍ରାୟ ୧୦୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇଛି ।

Exit mobile version