+୨ ଇନଷ୍ଟାଣ୍ଟ୍ ପରୀକ୍ଷା ନଭେମ୍ବର ୧୧ ଓ ୧୨ରେ

ସତ୍ୟଶିଖା (ଭୁବନେଶ୍ୱର) ୨୧/୧୦/୨୦୨୦ : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ କିମ୍ବା ଧନ୍ଦାମୂଳକ ପରୀକ୍ଷାରେ ପାସ୍ ମାର୍କ ରଖି ମଧ୍ୟ ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ୍ ପରୀକ୍ଷା ଦେଇପାରିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଏହି ପରୀକ୍ଷା ଆସନ୍ତା ନଭେମ୍ବର ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ ।୧୧ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍, ଏକ୍ସ-ରେଗୁଲାର୍ ଓ ଡିଷ୍ଟାନ୍ସ ଏଜୁକେସନ୍ର ଛାତ୍ରଛାତ୍ରୀ ସମସ୍ତ ଥିଓରି ପରୀକ୍ଷା ଦେଇପାରିବେ । ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀମାନଙ୍କୁ ୯ଟା ୪୫ରୁ ପହଞ୍ଚିବାକୁ ପଡ଼ିବ ବୋଲି ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସେହିପରି ନଭେମ୍ବର ୧୨ ତାରିଖରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ରେଗୁଲାର୍, ଏକ୍ସ-ରେଗୁଲାର୍ ଓ ଡିଷ୍ଟାନ୍ସ ଏଜୁକେସନ୍ର ଛାତ୍ରଛାତ୍ରୀ ସମସ୍ତ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ୍ କରିପାରିବେ ।
ଛାତ୍ରଛାତ୍ରୀମାନେ ସେମାନଙ୍କର ହାୟର୍ ସେକେଣ୍ଡାରୀ ସ୍କୁଲର ସମୟ ଅନୁସାରେ ପ୍ରାକ୍ଟିକାଲ କରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସାହୁ କହିଛନ୍ତି । ପରୀକ୍ଷା କରୋନା ଗାଇଡଲାଇନ୍ ପାଳନ କରି କରାଯିବ । ବିନା ମାସ୍କରେ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ପାଖାପାଖି ୧୯୦ଟି ପରୀକ୍ଷା ପରିଚାଳନା ହବ୍ରେ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପୂର୍ବରୁ ନିଜର ହାୟର୍ ସେକେଣ୍ଡାରୀ ସ୍କୁଲରୁ ଆଡମିଟ୍ କାର୍ଡ଼ ସଂଗ୍ରହ କରି ନେବାକୁ ପରୀକ୍ଷା ନିୟନ୍ତ୍ରକ ପରାମର୍ଶ ଦେଇଛନ୍ତି ।