

ସତ୍ୟଶିଖା( କଟକ)୧୪.୦୨.୨୦୨୨ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ତିନି ଜଣ ନୂଆ ବିଚାରପତି ଆସନ୍ତାକାଲି ଶପଥ ନେବେ ା ବରିଷ୍ଠ ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ.ଏସ.ରମଣ ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୯ଟାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କରିବେ ା ଉଚ୍ଚ ନ୍ୟାୟାଳୟର ନୂତନ କୋଠାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ବିଚାରପତି ଏସ୍.ମୁରଲୀଧର ଏହି ତିନି ବରିଷ୍ଠ ଆଇନଜୀବୀଙ୍କୁ ବିଚାରପତି ଭାବେ ଶପଥ ଗ୍ରହଣ କରାଇବେ ା ଏହି ଉତ୍ସବରେ ଉଚ୍ଚ ନ୍ୟାୟାଳୟର ବିଚାରପତିବୃନ୍ଦ, ବରିଷ୍ଠ ଆଇନଜୀବୀ ଓ ଆଇନଜୀବୀଙ୍କ ସମେତ କେତେଜଣ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଯୋଗଦେବେ ା ରାଜ୍ୟ ଗୃହବିଭାଗ ପ୍ରମୁଖ ଶାସନ ସଚିବ ଓ ଉଚ୍ଚ ନ୍ୟାୟାଳୟ ରେଜିଷ୍ଟ୍ରାର ଜେନେରାଲ ଉତ୍ସବରେ ଉପସ୍ଥିତ ରହିବେ। କୋଭିଡ୍ କଟକଣା ମଧ୍ୟରେ ସୀମିତ ଉଚ୍ଚ ନ୍ୟାୟାଳୟ ବିଚାର ବିଭାଗୀୟ ଅଧିକାରୀ ଓ ଆଇନଜୀବୀଙ୍କୁ ଉତ୍ସବରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ମିଳିଛି ା ସୂଚନାଯୋଗ୍ୟ ଯେ, ତିନିଜଣ ବରିଷ୍ଠ ଆଇନଜୀବୀଙ୍କ ବିଚାରପତି ଭାବେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଗୁରୁବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ଆଇନଜୀବୀ ଭି.ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀ ରମଣ ମୁରାହରି ଓରଫ ଏମ.ଏସ.ରମଣଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ ସୁପାରିସ କରିଥିଲେ। ଏହି ନିଯୁକ୍ତି ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିବ।