ସତ୍ୟଶିଖା (ଭୁବନେଶ୍ୱର) ୧୦/୦୨/୨୦୨୧ : ଯାତ୍ରାପ୍ରେମୀମାନଙ୍କୁ ହତାଶ ହେବାକୁ ପଡିଛି । ଖଣ୍ଡଗିରି ପାଦଦେଶରେ ଚଳିତ ବର୍ଷ ରଂଗମଚରେ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖିଥିବା ଅନୁଷ୍ଠାନଗୁଡ଼ିକୁ ଶକ୍ତ ଝଟକା ଲାଗିଛି । ଏଥି ସହିତ ନାଟକ ଦେଖିବାକୁ ଆଶା ରଖିଥିବା ଦର୍ଶକମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । କେବଳ ସେତିକି ନୁହେଁ ଖଣ୍ଡଗିରି ମେଳାରେ ଗ୍ରାମାଂଚଳରୁ ଆସୁଥିବା ବିଭିନ୍ନ ସାମଗ୍ରୀ କିଣିବାକୁ ଚାହୁଁଥିବା ଲୋକଙ୍କ ଆଶା ମଧ୍ୟ ପୂରଣ ହୋଇପାରିବ ନାହିଁ । ଏହାର କାରଣ ହେଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଚଳିତ ବର୍ଷ ‘ଖଣ୍ଡଗିରି ମେଳା’ର ଆୟୋଜନକୁ ଅନୁମତି ପ୍ରଦାନ କରି ନାହାନ୍ତି ।
ଖଣ୍ଡଗିରି ମେଳା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, କୋଭିଡ-୧୯ ମହାମାରୀ ଯୋଗୁଁ ଚଳିତ ବର୍ଷ ମେଳା ଉପରେ କଟକଣା ଲାଗୁ କରାଯାଇଛି । କିନ୍ତୁ କୋଭିଡ-୧୯ କଟକଣା ସହିତ ପରଂପରା ପାଳନ ହେବ । ତେଣୁ ଖଣ୍ଡଗିରି ମେଳାରେ ଷ୍ଟଲ ଲାଗିବ ନାହିଁ ଓ ଯାତ୍ରା ପଡ଼ିବ ନାହିଁ । ଯାତ୍ରା ପାର୍ଟି ଓ କମିଟି ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଖଣ୍ଡଗିରି ପାଦଦେଶରେ ବହୁ ବର୍ଷରୁ ପାରଂପରିକ ମାଘ ସପ୍ତମୀ ମେଳାର ଆୟୋଜନ ହୋଇଆସୁଛି । ୧୨ ଦିବସୀୟ ଏହି ମେଳାରେ ଗ୍ରାମାଂଚଳର ଜିନିଷ ବିକ୍ରି ହୋଇଥାଏ । ଯାତ୍ରା କଳାକାରମାନେ ରଂଗମଂଚରେ ନାଟକ ଅଭିନୟ କରିଥାନ୍ତି । ସେହିପରି ମୀନାବଜାର ମଧ୍ୟ ବସିଥାଏ । ପାହାଡ଼ ଉପରେ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍ସି ଏହି ମେଳାକୁ ଅନୁମତି ପ୍ରଦାନ କରିନାହାନ୍ତି ।