ସତ୍ୟଶିଖା ୧୬/୦୨/୧୦୨୧ : ହରିଦ୍ୱାର ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଉତ୍ତରାଖଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ । ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି । ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ କହିଛନ୍ତି ଯେ ମହାକୁମ୍ଭ ସ୍ଥିତି ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଗାଇଡଲାଇନ ପଠାଯାଇଥିଲା । ଗାଇଡଲାଇନ ଅନୁସାରେ କୁମ୍ଭ କମ ଦିନ ପାଇଁ ଆୟୋଜନ କରିବାକୁ କୁହାଯାଇଥିଲା । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ୩୦ ଦିନ ପାଇଁ ମହାକୁମ୍ଭ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମହାକୁମ୍ଭ ସମୟରେ କୌଣସି ସ୍ପେଶାଲ ଟ୍ରେନ ଚାଲିବନାହିଁ । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ରେଳ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିଲା । ଏହାକୁ ରେଳ ମନ୍ତ୍ରାଳୟ ସହମତି ପ୍ରଦାନ କରିଛନ୍ତି । ମହାକୁମ୍ଭ କ୍ଷେତ୍ରରୁ ଯାତ୍ରୀଙ୍କୁ ବାହାରକୁ ନେବା ପାଇଁ ଟ୍ରେନ ବ୍ୟବସ୍ଥା କରାଯିବ । ପୂର୍ବରୁ ଧାର୍ଯ୍ୟ ହୋଇଥିଲା ଯେ ମହାକୁମ୍ଭ ପାଇଁ ସ୍ପେଶାଲ ଟ୍ରେନ ଚଳାଚଳ ହେବ କିନ୍ତୁ ଏହା ଉପରେ ରୋକ ଲଗାଇ ଦିଆଯାଇଛି । ଏହାସହ କୌଣସି ଅତିରିକ୍ତ ବସ ଚଳାଚଳ ହେବ ନାହିଁ ବୋଲି ସେ କହିଛନ୍ତି । ଅତିରିକ୍ତ ବସ ଚଳାଚଳ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଅନୁମତି ନେବା ଅନିବାର୍ଯ୍ୟ ।