ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିବିଧ ନିଷ୍ପତ୍ତି ନିଆଯାଇଛି । କିଛି ଦିନ ପୂର୍ବେ ଦଶମ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଥିବାବେଳେ ଫର୍ମପୂରଣ ଫି’କୁ ସରକାର ଛାଡ଼ କରିଥିଲେ । ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ମାଗଣାରେ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ତେବେ କରୋନା ଯୋଗୁଁ ଯେଭଳି ଛାତ୍ରଛାତ୍ରୀ ଅସୁବିଧା ନଭୋଗିବେ ସେଥିପାଇଁ ଏଥର ନିଜ ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ମାଟ୍ରିକ୍ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ । ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି । ଏଥର ସବୁ ବିଦ୍ୟାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ । କରୋନା ଯୋଗୁଁ ରହିବା ଓ ଯାତାୟାତରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ । ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବାକୁ ପରୀକ୍ଷା
ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ମାଗଣାରେ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ଯୋଗାଇ ଦିଆଯିବ । ଏହି ପୁସ୍ତକର ନାମ ‘ପରୀକ୍ଷା ଦର୍ପଣ’ ରଖାଯାଇଛି । ଏହା ଟେଷ୍ଟ ପେପର ଭଳି ପ୍ରସ୍ତୁତ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୭୦୦ ପୃଷ୍ଠାର ‘ପରୀକ୍ଷା ଦର୍ପଣ’ ପୁସ୍ତକ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣାରେ ଦିଆଯିବ । ଏହି ବହିରେ ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିବ ।
କରୋନା ସଂକ୍ରମଣ ଯୋଗୁଁ ୩୦ ପ୍ରତିଶତ ପାଠ୍ୟକ୍ରମ କମାଯାଇଛି । ଏହାକୁ ଦୃଷ୍ଟିରେ ରଖି ଅବଶିଷ୍ଟ ୭୦ ପ୍ରତିଶତ ସିଲାବସ୍କୁ ନେଇ ପ୍ରସ୍ତୁତ ଟେଷ୍ଟ ପେପର୍ ପରୀକ୍ଷାର୍ଥୀଙ୍କୁ ଦିଆଯିବ । ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଛାତ୍ରଛାତ୍ରୀଙ୍କ ନିକଟରେ ଏହା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଚଳିତ ମାସ ୮ରୁ ରାଜ୍ୟରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି । ରବିବାର ପାଠପଢା ଚାଲିଛି । ଉଭୟ କ୍ଲାସ ପାଇଁ ୧୦୦ ଦିନ ପାଠପଢ଼ା ପାଇଁ ନିଷ୍ପତ୍ତି ନିଆଯାଇଛି । ଦଶମ ପାଠପଢା ଏପ୍ରିଲ ୨୬ ପର୍ଯ୍ୟନ୍ତ ଚାଲିବ । ପାଠପଢା ସମୟ ମଧ୍ୟରେ ପରୀକ୍ଷା ଦର୍ପଣ ଯୋଗାଇ ଦିଆଯିବ । କେତେ ସଂଖ୍ୟାରେ ‘ପରୀକ୍ଷା ଦର୍ପଣ’ ଛପାଯିବ ଓ କେଉଁ ଜିଲାରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ ସେ ସଂକ୍ରାନ୍ତ ତଥ୍ୟ ସବୁ ଜିଲାର ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କଠାରୁ ମଗାଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ସେମାନେ ତଥ୍ୟ ଦାଖଲ କରିବେ ।