ସତ୍ୟଶିଖା (ଭୁବନେଶ୍ୱର) ୦୫/୦୨/୨୦୨୧ : ଚଳିତ ବର୍ଷ ହେବ ନାହିଁ ଖଣ୍ଡଗିରି ମାଘ ମେଳା। ଏ ନେଇ ମେଳା କମିଟିର ସଦସ୍ୟମାନେ ବିଏମ୍ସି କମିଶନରଙ୍କ ନିକଟରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରିରେ ଅପେରା ନ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି । କମିଟି ମଧ୍ୟ ଏହାକୁ ଏକପ୍ରକାର ମାନି ନେଇଥିବା ଆଜିର ପ୍ରସ୍ତାବରୁ ଆଭାସ ମିଳିଛି । ମେଳା କମିଟି ପକ୍ଷରୁ ବିଏମ୍ସି କମିଶନରଙ୍କ ଉଦ୍ଦେଶ୍ୟରେ ଗୁରୁବାର ୪ପୃଷ୍ଠାର ପ୍ରସ୍ତାବ ଦାଖଲ କରାଯାଇଛି । ଏଥିରେ ପ୍ରଚଳିତ ନୀତିକାନ୍ତି ସହକାରେ ମେଳା କରିବାକୁ କୁହାଯାଇଛି । ତେବେ କଟକଣାକୁ କୋହଳ କରି ଦୋକାନ ଷ୍ଟଲ୍ ପକାଇବାକୁ ଅନୁମତି ଦେବାକୁ ବିଏମ୍ସିକୁ ପ୍ରସ୍ତାବ ଦିଆଯାଇଛି ।
କୋଭିଡ୍ ପାଇଁ ଗୋଟିଏ ସ୍ଥାନରେ ସର୍ବାଧିକ ୫୦୦ ଲୋକ ଏକାଠି ହୋଇପାରିବେ ବୋଲି ଏବେ ନିୟମ କରାଯାଇଛି । ତେବେ ଥିଏଟର ବା ମଞ୍ଚରେ ଦୁଇ ସିଟ୍ ମଝିରେ ଗୋଟିଏ ସିଟ୍ ଛାଡି଼ବାକୁ ନିର୍ଦ୍ଦେଶ ରହିଛି । ଏଭଳି ନିୟମ ପାଳନ କରି ଯାତ୍ରା କରିବା ଆଦୌ ସମ୍ଭବପର ନୁହେଁ । ନିୟମ ପାଳନ କରି ଅପେରା ଆୟୋଜନ କଲେ ଆର୍ଥିକ ଦୃଷ୍ଟିରୁ ଅପେରା ମାଲିକମାନେ ବହୁ କ୍ଷତି ସହିବେ । ଏଥିପାଇଁ ସେମାନେ ନିଜ ଆଡୁ ଯାତ୍ରା କରିବା ପ୍ରସ୍ତାବରୁ ଓହରି ଯାଇଥିବା ସୂଚନା ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଯାତ୍ରା ପାଇଁ ଚୂଡ଼ାନ୍ତ ଅନୁମତି ଦେବ ବୋଲି କହି ବିଏମ୍ସି ଏହାକୁ ଏକପ୍ରକାର ଏଡାଇ ଯାଇଛି । କିନ୍ତୁ ଅପେରା ହେବନି ବୋଲି ଆଭାସ ମିଳିସାରିଲାଣି ।