ଦୁର୍ଘଟଣାବିଦେଶ

କାବୁଲ୍ ବିମାନ ବନ୍ଦର ବିସ୍ଫୋରଣରେ ପ୍ଲାଷ୍ଟିକ୍ ମୁଣା ଉଡ଼ିବା ପରି ଉଡ଼ିଲା ମାନବ ଦେହାଂଶ: ପ୍ରତ୍ୟକ୍ଷଦର୍ଶୀ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୭.୦୮ .୨୦୨୧: ଗତ ସନ୍ଧ୍ୟାରେ କାବୁଲ୍ ବିମାନ ବନ୍ଦର ନିକଟରେ ପ୍ରଳୟ ଆସିଥିଲା ଏବଂ ତୋଫାନରେ ପ୍ଲାଷ୍ଟିକ୍‌ ମୁଣା (ବ୍ୟାଗ୍‌) ଉଡ଼ିବା ପରି ଲୋକମାନଙ୍କ ଦେହାଂଶ ସବୁ ଶୂନ୍ୟରେ ଉଡୁଥିଲା ବୋଲି ସ୍ଥାନାନ୍ତରଣ ପାଇଁ ପ୍ରତୀକ୍ଷାରତ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

କୌଣସି ଏକ ଆନ୍ତର୍ଜାତିକ ବିକାଶ ସଙ୍ଗଠନରେ କାର୍ଯ୍ୟରତ ତଥା ଯୁକ୍ତରାଷ୍ଟ୍ର ଆମେରିକାର ସ୍ବତନ୍ତ୍ର ଭିସାପ୍ରାପ୍ତ ସେ ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତିଜଣକ ବଡ଼ି ସକାଳୁ ଉଠି ହଜାର ହଜାର ଲୋକ ଗହଳି କରିଥିବା ବିମାନ ବନ୍ଦର ଅଭିମୁଖେ ଯାଇଥିଲେ। ଆଶା କରୁଥିଲେ, ଫାଟକରେ ତନଖି ପରେ ବିମାନ ଆରୋହଣ ପାଇଁ ତାଙ୍କୁ ଅନୁମତି ମିଳିଯିବ।

କାବୁଲ୍ ବିମାନ ବନ୍ଦରର ଆବି ଗେଟ୍‌ ସମ୍ମୁଖରେ ପ୍ରାୟ ୧୦ ଘଣ୍ଟା ଧାଡ଼ିରେ ଠିଆ ହୋଇଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ବେ‌ଳକୁ ଗୋଟାଏ ଶକ୍ତିଶାଳୀ ବିସ୍ଫୋରଣ ଘଟିଲା।

ତାଙ୍କ ଭାଷାରେ, ସତେ ଅବା କେହି ମୋ ପାଦତଳୁ ଭୂଇଁ ଟାଣି ନେଲା; କ୍ଷଣିକ ପାଇଁ ମୋର ମନେହେଲା ମୋ କାନଗିରି ଫାଟିଗଲା, ମୁଁ କାଲ ହୋଇଗଲି।

ଦେଖିଲି, ତୋଫାନରେ ପ୍ଲାଷ୍ଟିକ୍ ମୁଣା ଉଡ଼ିବା ପରି ମାନବ ଶରୀର ଏବଂ ଶରୀରର ଅଂଶବିଶେଷ ଶୂନ୍ୟରେ ଉଡୁଛି। ଆହୁରି ମଧ୍ୟ ବିସ୍ଫୋରଣସ୍ଥଳରେ ମୁଁ ଶବ, ଦେହାଂଶ, ବୟୋବୃଦ୍ଧ ଏବଂ ଆହତ ଜନତା, ନାରୀ ଓ ପିଲାଏ ବିଛାଡ଼ି ହୋଇ ପଡ଼ିଥିବା ଦେଖିଲି।

ପ୍ରଳୟର ଦିନ ତ ଦେଖିବା ଅସମ୍ଭବ, କିନ୍ତୁ, ଆଜି ମୁଁ ପ୍ରଳୟର ଦିନ ଦେଖିଲି। ସ୍ବଚକ୍ଷୁରେ ପ୍ରଳୟଦିବସ ଦେଖିଲି।

ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ‘ଆଇଏସ୍‌ଆଇଏସ୍‌’ ସଙ୍ଗଠନ ଏହି ବିସ୍ଫୋରଣ ଘଟାଇଛି ବୋଲି ଦାବି କରୁଛି। ଏଥିରେ ନିହତ ହୋଇଥିବା ସମୁଦାୟ ୭୨ଜଣଙ୍କ ମଧ୍ୟରେ ଅଛନ୍ତି ଆମେରିକା ନୌସେନାର ୧୨ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର। ବାକି ୬୦ ନିହତ ବ୍ୟକ୍ତି ହେଉଛନ୍ତି ସାଧାରଣ ନାଗରିକ। ଏଥିରେ ଆମେରିକା ସେନାର ଆହୁରି ୧୮ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣଜନିତ ସମୁଦାୟ ଆହତଙ୍କ ସଂଖ୍ୟା ୧୪୩ ବୋଲି ସୂଚନା ମିଳିଛି। ନିହତ ଜନତାଙ୍କ ମଧ୍ୟରେ ୨୮ଜଣ ତାଲିବ୍‌ ଉଗ୍ରବାଦୀ ଥିବା କଥା ଶୁଣାଯାଉଛି।

Show More
Back to top button