ତୃତୀୟ ଲହର: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୭,୨୦୦ କୋଟି ଟଙ୍କା ମଂଜୁର

ସତ୍ୟଶିଖା(ଭୁବନେଶ୍ୱର ) ୧୪.୦୮ .୨୦୨୧: ମହାମାରୀ କରୋନାର ତୃତୀୟ ୱେଭ ଚିନ୍ତା ଏବେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦ୍ୱିତୀୟ ୱେଭ ବେଳେ ସୃଷ୍ଟି ହୋଇଥିବା ହାହାକାର ପରିସ୍ଥିତିରୁ ଶିକ୍ଷାଲାଭ କରିଥିବା କେନ୍ଦ୍ର ସରକାର ଏବେ ଆଗୁଆ ତୃତୀୟ ଲହରର ମୁକାବିଲା ପାଇଁ ଅଣ୍ଟ ଭିଡ଼ିଛନ୍ତି।

ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୭,୨୦୦ କୋଟି ଟଙ୍କା ରିଲିଜ୍‌ କରିଛି। ଜୁଲାଇ ମାସରେ ଘୋଷଣା ହୋଇଥିବା ୨୩,୧୨୩ କୋଟି ଟଙ୍କାର ଜରୁରୀ କାଳୀନ ପାଣ୍ଠିରୁ ଏହି ଅର୍ଥକୁ ମଞ୍ଜୁରୀ ଦିଆଯାଇଛି। ଏହି ପାଣ୍ଠିରେ କେନ୍ଦ୍ରର ୬୦% ଓ ରାଜ୍ୟଗୁଡ଼ିକର ଭାଗିଦାରୀ ୪୦% ରହିଛି। ଉକ୍ତ କେନ୍ଦ୍ରୀୟ ଭାଗରୁ ଏବେ ୫୦% ଅର୍ଥ ତୃତୀୟ ୱେଭ ମୁକାବିଲା ପାଇଁ ବ୍ୟବହାର କରାଯିବ।

ମନ୍ତ୍ରଣାଳୟ ଆଶା ରଖିଛି ଯେ ଦେଶରେ ଚାଲିଥିବା ୧୭୫୫ ପିଏସଏ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଅଗଷ୍ଟ ଶେଷ ସୁଦ୍ଧ ପ୍ରସ୍ତୁତ ହୋଇଯିବ। ପିଏସୟୁ ଗୁଡ଼ିକ ଯଦି ଅକ୍ସିଜେନ ପ୍ଲାଣ୍ଟ ତିଆରି କରୁଛନ୍ତି, ତା’ହେଲେ ସେଗୁଡ଼ିକୁ ମଧ୍ୟ ବିଚାରକୁ ନିଆଯିବ। ଆଗାମୀ ଦିନରେ ଏପରି ୨୨୦୦ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ବର୍ତ୍ତମାନ ସୁଦ୍ଧା ୩୭୫ଟି ଅକ୍ସିଜେନ ପ୍ଲାଣ୍ଟ ସମଗ୍ର ଦେଶରେ ଅନୁମୋଦନ ଲାଭ କରିଥିବା ବେଳେ ୫୦୦ଟି ପ୍ଲାଣ୍ଟ ଶେଷ ହେବା ସ୍ଥିତିରେ ରହିଛି।

ଜରୁରୀ କାଳୀନ ପାଣ୍ଠି ଜରିଆରେ ସରକାର ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଔଷଧ ଓ ଜିଲ୍ଲା ସ୍ତରରେ ଅକ୍ସିଜେନକୁ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଦ୍ୱିତୀୟ ୱେଭ ବେଳେ ଯେଉଁଭଳି ଭାବେ ଅକ୍ସିଜେନ, ବେଡ ଓ ମେଡିସିନର ଅଭାବ ସାରା ଦେଶରେ ସୃଷ୍ଟି ହୋଇଥିଲା। ତୃତୀୟ ୱେଭ ବେଳେ ତା’ର ପୁନରାବୃତ୍ତି ଯେମିତି ନ ହେବ, ସେଥିପାଇଁ ସକରାର ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ରେସପନ୍ସ ପ୍ୟାକେଜର ଗାଇଡଲାଇନ ଅନୁଯାୟୀ, ମନ୍ତ୍ରଣାଳୟ ସବୁ ଜିଲ୍ଲାରେ ଅତିକମରେ ୧୦,୦୦୦ କିଲୋ ଲିଟର ଅକ୍ସିଜେନ ଟ୍ୟାଙ୍କ ଷ୍ଟାଣ୍ଡବାଇରେ ରଖିବ। ୧୪୫୦ ମେଡିକାଲ ଗ୍ୟାସ ପାଇପଲାଇନ ସିଷ୍ଟମ ଜରିଆରେ ୯୬୧ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ଷ୍ଟୋରେଜ ଟ୍ୟାଙ୍କ ରଖିବାକୁ ଯୋଜନା କରାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୮ରେ କେନ୍ଦ୍ର କ୍ୟାବିନେଟ ୨୩,୧୨୩ କୋଟି ଟଙ୍କାର ଜରୁରୀ କାଳୀନ ରେସପନ୍ସ ପାଣ୍ଠିକୁ ଅନୁମୋଦନ ଦେଇଥିଲେ। ଏଥିରେ କେନ୍ଦ୍ରର ୬୦% ଓ ରାଜ୍ୟର ୪୦% ଆର୍ଥିକ ଯୋଗଦାନ ରହିବ। ଏହି ପାଣ୍ଠରୁ କେନ୍ଦ୍ର ସରକାର ନିଜର ୭୨୦୦ କୋଟି ଟଙ୍କା ରିଲିଜ୍‌ କରିଛନ୍ତି। ଏହାପୂର୍ବରୁ ଜୁଲାଇ ମାସରେ ପ୍ରସ୍ତୁତି କାର୍ଯ୍ୟକ୍ରମ ପାଇଁ ମଧ୍ୟ କେନ୍ଦ୍ର ସରକାର ୧୮୨୭ କୋଟି ଟଙ୍କା ରିଲିଜ କରିଥିଲେ। ମୋଟ ୨୩,୧୨୩ କୋଟି ଟଙ୍କାରୁ କେନ୍ଦ୍ରର ଅଂଶଧନ ହେଉଛି ୧୪,୭୪୪ କୋଟି। ଏହି ୧୪,୭୪୪ କୋଟିରୁ କେନ୍ଦ୍ର ସରକାର ତୃତୀୟ  ୱେଭର ମୁକାବିଲା ପାଇଁ ୭,୨୦୦ କୋଟି ଟଙ୍କା ରିଲିଜ କରିଛନ୍ତି।

Exit mobile version