ଦଶହରାରେ ବର୍ଷା ନାହିଁ, ପାଗ ଶୁଖିଲା ରହିବ l


ସତ୍ୟଶିଖା ( ଭୁବନେଶ୍ୱର ) ୨୫/୧୦/୨୦୨୦ : ଏଥର ଦଶହରାରେ ପାଗ ପ୍ରାୟତଃ ଶୁଖିଲା ରହିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶନିବାର ରାଜ୍ୟ ତମାମ ପାଗ ଶୁଖିଲା ରହିଥିଲା । ଉପକୂଳ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିଥିଲା । ପ୍ରାୟତଃ ଦିନ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଥିଲା ।
ପାଣିପାଗ ବିଭାଗ କହିଛି, ଆଜି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଏହାବାଦ୍ କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ହାଲୁକା ବର୍ଷା ସମ୍ଭାବନା ଅଛି । ମାସ ଶେଷ ପର୍ଯ୍ୟନ୍ତ ଏଭଳି ପାଗ ରହିବ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । ରବିବାର ଉପକୂଳ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିପାରେ । ସ୍ଥାନେ ସ୍ଥାନେ ହାଲୁକା ବର୍ଷା ଛିଞ୍ଚିପାରେ । ସୋମବାର ପାଗ ଶୁଖିଲା ରହିବ । ବର୍ଷା ସମ୍ଭାବନା କ୍ଷୀଣ ।
ଡକ୍ଟର ପଶୁପାଳକଙ୍କ ଆକଳନ ଅନୁଯାୟୀ ଆସନ୍ତା ୨୯ କିମ୍ବା ୩୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ମିଆଁମାର ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ପରବର୍ତ୍ତୀ ସମୟରେ ଏହା ଲଘୁଚାପ ରୂପ ନେଇପାରେ । ଯାହାକି ପୂର୍ବ ଉତ୍ତର ବଙ୍ଗୋପସାଗରକୁ ଆସିବ । ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ ।
ଅପରପକ୍ଷରେ ଆସନ୍ତା ୨୮ ତାରିଖବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଆସନ୍ତା ନଭେମ୍ବର ପହିଲାବେଳକୁ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦୂରରେ ରହିବ । ଆସନ୍ତା ୨ କିମ୍ବା ୩ ତାରିଖବେଳକୁ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସମ୍ଭାବନା ଅଛି । ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ । ଏହା ପ୍ରାକ୍ ଆକଳନ । ଆଉ କିଛି ଦିନ ପରେ ପାଣିପାଗର ଚିତ୍ର ସ୍ପଷ୍ଟ ହେବ ।