

ସତ୍ୟଶିଖା(ଭୁବନେଶ୍ୱର ) ୨୬.୦୮ .୨୦୨୧: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ନାମଲେଖା ଫି’ ବୃଦ୍ଧି କରାଯିବ ନାହିଁ । ସେଲ୍ଫ ଫାଇନାନ୍ସିଂ, ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପୂର୍ବବର୍ଷର ଫି’ ଅନୁଯାୟୀ ଏଥର ବି ଛାତ୍ରଛାତ୍ରୀଙ୍କଠାରୁ ନାମଲେଖା ଫି’ ଆଦାୟ କରିବେ । କରୋନା କାଳରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅର୍ଥ ଚାପରୁ ମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । କଲେଜ ଅଧ୍ୟକ୍ଷମାନେ ଏହାକୁ କାର୍ଯ୍ୟକରୀ କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କହିଛନ୍ତି । ସେପଟେ ନାମଲେଖା ପାଇଁ ଚୂଡ଼ାନ୍ତ ସିଟ୍ ତାଲିକା ପ୍ରକାଶ କରାଯାଇଛି । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗର ମୋଟ ୪ଲକ୍ଷ ୯୯ ହଜାର ୧୨୩ ସିଟ୍ରେ ଚଳିତବର୍ଷ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୭୬ ହଜାର ୨୭୪ ସିଟ୍ରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୫୪ ହଜାର ୧୯୩, ବାଣିଜ୍ୟରେ ୪୫ହଜାର ୪୪, ସଂସ୍କୃତରେ ୧୩ ହଜାର ୨୦୪, ଧନ୍ଦାମୂଳକ ବିଭାଗର ୧୦ ହଜାର ୪୦୮ ସିଟ୍ରେ ସାମ୍ସ ମାଧ୍ୟମରେ ନାମଲେଖା କରାଯିବ । ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୧ହଜାର ୬୩୪ ସିଟ୍ରେ ନାମଲେଖା ହେବ। ସେଥିମଧ୍ୟରୁ କଳାରେ ୨୦ ହଜାର ୭୯୭, ବିଜ୍ଞାନରେ ୧୫ ହଜାର ୬୪୯, ବାଣିଜ୍ୟରେ ୪୨୦୮ ସିଟ୍ ରହିଛି ।
ଖୋର୍ଦ୍ଧା ଜିଲ୍ଲାରେ ନାମଲେଖା ହେବାକୁ ଥିବା ୪୦ ହଜାର ୧୫୨ ସିଟ୍ ମଧ୍ୟରେ କଳାରେ ୧୫ହଜାର ୮୨୦, ବିଜ୍ଞାନରେ ୧୮ ହଜାର ୫୪୪, ବାଣିଜ୍ୟରେ ୪ ହଜାର ୨୫୬ ସିଟ୍ ରହିଛି। ସେହିପରି କଟକରେ ୩୬ ହଜାର ୯୭୮, ବାଲେଶ୍ୱରରେ ୩୪ ହଜାର ୩୭୨, ମୟୂରଭଞ୍ଜରେ ୨୯ ହଜାର ୧୯୪, ପୁରୀରେ ୨୪ ହଜାର ୧୯୩, ସୁନ୍ଦରଗଡ଼ରେ ୨୨ ହଜାର ୨୨୬ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୦ ହଜାର ୪୪୯ ସିଟ୍ରେ ନାମଲେଖା ହେବ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ମାଲକାନଗିରି ପରି ଉପାନ୍ତ ଅଞ୍ଚଳରେ ଧନ୍ଦାମୂଳକ ଶିକ୍ଷା ପାଇଁ ବ୍ୟବସ୍ଥା ନାହିଁ । ଜିଲ୍ଲାରେ ମୋଟ ୨୦ଟି କଲେଜ ରହିଥିଲେ ମଧ୍ୟ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ବିଭାଗ ଖୋଲାଯାଇ ନାହିଁ। ଦେବଗଡ଼ରେ ସର୍ବନିମ୍ନ ୨୬୪୦ ସିଟ୍ରେ ନାମଲେଖା ହେବ। ୯ଟି ଜିଲ୍ଲାରେ ଆଦୌ ସଂସ୍କୃତ କଲେଜ ନ ଥିବା ସୂଚନା ମିଳିଛି। ଗଣଶିକ୍ଷା ବିଭାଗର ଏଭଳି ତଥ୍ୟରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ସହରାଞ୍ଚଳରେ ପଢ଼ିବା ପାଇଁ ଛାତ୍ରଛାତ୍ରୀ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ଯେଉଁଥିପାଇଁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ପରି ସହରର କଲେଜଗୁଡ଼ିକ ଚଳିତ ଶିକ୍ଷାବର୍ଷ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରିଛନ୍ତି।