ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ।

ସତ୍ୟଶିଖା :୨୪/୦୬/୨୦୨୫: ଆସନ୍ତା ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)  ମଧ୍ୟ ଆକଳନ କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ । ସେହିଭଳି ଏକ ଟ୍ରଫଲାଇନ୍‌ ଉତ୍ତରପ୍ରଦେଶର ଦକ୍ଷିଣରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଦେଇ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା  ଯାଏ ଲମ୍ବିଛି । ଏହି ଦୁଇଟି ସିଷ୍ଟମ୍‌ ପ୍ରଭାବରେ ରାଜ୍ୟରେ ଆଗାମୀ ୭ଦିନ ଯାଏ ବର୍ଷା ଲାଗି ରହିବ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି ।

ମଙ୍ଗଳବାର(୨୪ ତାରିଖ) ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି,  ରାୟଗଡ଼ା, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ର କିଛି ସ୍ଥାନରେ ଅଧିକ  ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବରଗଡ଼, ଅନୁଗୁଳ,  ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗିର, କୋରାପୁଟ ଓ ମାଲକାନଗିରିର ଗୋଟିଏ  ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ୨୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ  ବାଲେଶ୍ୱରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି  ୩ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।  ସେହିଭଳି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି  ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ ।

୨୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ,  ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ପ୍ରବଳରୁ  ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୫ଟି ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା,  ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା,  ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା,  ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,  ରାୟଗଡ଼ା, କୋରାପୁଟ ଓ ମାଲକାନଗିରିଲର କିଛି  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା  ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ । ସୋମବାର ସକାଳରୁ ସନ୍ଧ୍ୟା ଭିତରେ  ଦାରିଙ୍ଗିବାଡିରେ ପ୍ରବଳ ବର୍ଷା ହୋଇଛି । ଏଠାରେ  ୬୭ମିମି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗିରରେ  ୪୫.୪, କୋରାପୁଟରେ ୨୩, ଗୋପାଳପୁରରେ  ୨୧.୯, ଢେଙ୍କାନାଳରେ ୧୪, ନବରଙ୍ଗପୁରରେ  ୧୨.୪ ମିମି ବର୍ଷା ରେକର୍ଡ ହୋଇଛି । ଆଜିସୁଦ୍ଧା  ରାଜ୍ୟରେ ୧୩୫.୭ମିମି ମୌସୁମୀ ବର୍ଷା ହୋଇଛି ।  ଏହି ସମୟ ଭିତରେ ୧୪୬.୧ମିମି ବର୍ଷା ହେବା  କଥା । ରାଜ୍ୟରେ ମୋଟ ୭% ନିଅଣ୍ଟିଆ ବର୍ଷା ହୋଇଛି  ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Exit mobile version