ସତ୍ୟଶିଖା :୩୦/୦୬/୨୦୨୫:ତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ରବିବାର ଅପରାହ୍ନରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ଦୁଇ ଦିନରେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ଗତିକରିବ । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୩୦ ତାରିଖ(ସୋମବାର)ରୁ ୫ ତାରିଖ ଯାଏ) ରାଜ୍ୟର ବହୁ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି ।
ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ସୋମବାର ଜିଲ୍ଲାର ସବୁ ସ୍କୁଲ ଛୁଟି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିଭଳି ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୧ ତାରିଖ (ମଙ୍ଗଳବାର) ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ୨ ତାରିଖରେ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ଆଶଙ୍କା ଅଛି । ୩, ୪ ଓ ୫ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଦେଇଛି । ଶନିବାରଠାରୁ ନେଇ ରବିବାର ଭିତରେ ମୟୂରଭଞ୍ଜ ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । ମୟୂରଭଞ୍ଜ ଚାନ୍ଦୁଆରେ ୩୨୦ମିମି ବର୍ଷା ହୋଇଛି । ଶୁଳିଆପଦାରେ ୨୫୦ମିମି, ସାରସକଣାରେ ୨୪୯ମିମି, ବାଙ୍ଗିରିପୋଷିରେ ୧୯୮, ସାମଖୁଣ୍ଟାରେ ୧୮୦ମିମି, ଉଦଳାରେ ୧୦୭, ବିଜାତଳାରେ ୧୦୫, କୁସୁମିରେ ୯୬ ମିମି ବର୍ଷା ହୋଇଛି । ବାଲେଶ୍ୱର ଜଳେଶ୍ୱରରେ ୧୪୭ ମିମି, ଖଇରାରେ ୧୨୨, ଔପଦାରେ ୧୧୪, ସୋନପୁରରେ ୧୧୫ ମିମି ବର୍ଷା ରେକର୍ଡ ହୋଇଛି ।