

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୨/୨୦୨୦ : ଦୀର୍ଘ ୨୦ମାସ ହେଲା ନିର୍ମାଣ ଚାଲିଥିବା ଖଣ୍ଡଗିରି ଫ୍ଲାଏଓଭର ୧୮ ମାସରେ ସରିବାର ଥିଲେ ହେଁ ଏବେ ସୁଦ୍ଧା ସରିନି । ଧାର୍ଯ୍ୟ ସମୟଠାରୁ ଅଧିକ ଦୁଇ ମାସ ପରେ ଅଧା କାମ ହୋଇଥିବା ବେଳେ ଫ୍ଲାଏଓଭର କେବେ କାର୍ଯ୍ୟକ୍ଷମ ହେବ, ସେନେଇ ଲୋକ ପ୍ରଶ୍ନ କଲେଣି । ରାଜଧାନୀର ଅନ୍ୟତମ ବ୍ଲାକସ୍ପଟ୍ ଖଣ୍ଡଗିରି ଛକର ଦୁର୍ଘଟଣାଜନିତ ସମସ୍ୟା ସମାଧାନ ପାଇଁ ଏଠାରେ ଫ୍ଲାଏଓଭର ନିର୍ମାଣ ହେଉଛି । ମାର୍ଚ୍ଚ, ୨୦୧୯ରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଏହା ସରିବା କଥା । କିନ୍ତୁ ଏହା ମେ’ ୨୦୨୧ରେ ସରିବ ବୋଲି ଏବେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ କହୁଛନ୍ତି । ଏବେ ଫ୍ଲାଏଓଭର ନିର୍ମାଣ ପାଇଁ ରାତିରେ ୱାନ୍ୱେ ଗାଡ଼ି ଯାତାୟାତ କରୁଥିବାରୁ ଅସମ୍ଭାଳ ଜାମ୍ ହେଉଛି । ଏପରିକି ଭିଡ଼ ଯୋଗୁଁ ପ୍ରତ୍ୟେକ ଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି ।
ଖଣ୍ଡଗିରି ଫ୍ଲାଏଓଭର ବିଳମ୍ବ ହେବା ନେଇ ଏନ୍ଏଚ୍ଏଆଇର ଓଡ଼ିଶା ମୁଖ୍ୟ ଆର୍.ପି ପଣ୍ଡା କହିଛନ୍ତି ଯେ କରୋନା ଜନିତ ଲକ୍ଡାଉନ୍ ଓ ସଟ୍ଡାଉନ୍, ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ପାହାଡ଼ କଟା ହେବା, ଡ୍ରେନ୍ ଘୁଞ୍ଚାଇବା, ଘରୋଇ ଜମି ଅଧିଗ୍ରହଣ ଭଳି ସମସ୍ୟା ଯୋଗୁଁ ପ୍ରକଳ୍ପ କାମ ବିଳମ୍ବ ହୋଇଯାଇଛି । ହେଲେ ଆସନ୍ତା ମେ’ରୁ ଜୁନ୍ ମଧ୍ୟରେ ଫ୍ଲାଏଓଭର ନିର୍ମାଣ କାମ ଶେଷ ହେବ । ଏବେ ସୁଦ୍ଧା ଫ୍ଲାଏଓଭର୍ର ୬୦% କାମ ଶେଷ ହୋଇଛି । ଯେଉଁ କାମ କରିବା ଅଧିକ କଷ୍ଟକର ଥିଲା, ତାହା ଶେଷ ହୋଇଯାଇଛି । ବାକି ୪୦% କାମ ୫ରୁ ୬ମାସରେ ଶେଷ ହୋଇଯିବ । ଏବେ ସୁଦ୍ଧା ଉଭୟପାର୍ଶ୍ବ ସର୍ଭିସ ରୋଡ୍, ସବୁର ଫାଉଣ୍ଡେସନ୍ କାମ, ଡ୍ରେନ୍, କଲଭର୍ଟ, ଖମ୍ବ ନିର୍ମାଣ, ପିଲାର୍ ସଂଯୋଗୀକରଣ କାମ ଶେଷ ହୋଇଛି । ଆପ୍ରୋଚ୍ ରୋଡ୍ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ।
ସୂଚନାଯୋଗ୍ୟ ଯେ ୧୧୫କୋଟି ବ୍ୟୟରେ ନିର୍ମାଣ ହେଉଥିବା ୬ ଥାକିଆ ଏହି ଫ୍ଲାଏଓଭର୍ର ଲମ୍ବ ୨.୨୩୦ କିମି ହେବ । ଏହାର ମୁଖ୍ୟପୋଲର ଲମ୍ବ ୧ କିମି ରହିବ । ଆଇଗିଣିଆ ପାର୍ଶ୍ବକୁ ଓ ବରମୁଣ୍ଡା ପାର୍ଶ୍ବକୁ ଆପ୍ରୋଚ୍ ରୋଡ୍ ମୋଟ୍ ୧.୨୩୦ କିମିର ରହିବ । ଏହି ଫ୍ଲାଏଓଭର୍ରେ ୬୮ଟି ପିଲାର୍ ଓ ୬୬ଟି ସ୍ପାନ୍ ରହିଛି ।