ଦେଶନ୍ୟୁଜ୍ବିଦେଶ

ବିଶ୍ୱରେ ୬୯ କୋଟି ଭୋକିଲା, ୨୦୩୦ ବେଳକୁ ୮୯ କୋଟି ହୋଇପାରେ

ସତ୍ୟଶିଖା : ସାରା ବିଶ୍ୱରେ ଭୋକିଲା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ନଅ ଜଣରୁ ଅତିକମ୍‌ରେ ଜଣେ ଭୋକିଲା ରହୁଛନ୍ତି ବୋଲି ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ବିଶ୍ବ ଜନସଂଖ୍ୟାର ୮.୯ ପ୍ରତିଶତ (୬୯ କୋଟି) ଲୋକ ଭୋକଉପାସରେ ରହୁଛନ୍ତି। ଅଥନୈତିକ ମାନ୍ଦାବସ୍ଥା ଓ ଜଳବାୟୁ ପରିବର୍ତନ ଯୋଗୁଁ ଭୋକିଲା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଷ୍ଟିଯୁକ୍ତ ଆହାର ଅତ୍ୟଧିକ ମହଙ୍ଗା ହୋଇଥିବାରୁ ଅଧିକାଂଶ ଲୋକ ତାହା କିଣିପାରୁନାହାନ୍ତି। ଫଳରେ ଅପପୁଷ୍ଟି ସମସ୍ୟା ଭୟଙ୍କର ହେଉଛି। ଏହାର ପ୍ରଭାବରେ ଶିଶୁମାନଙ୍କ ଠାରେ ମେଦବହୁଳତା ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ବୋଲି ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି।

ଦୀର୍ଘ ଏକ ଦଶନ୍ଧୀ ପର୍ଯ୍ୟନ୍ତ ଭୋକିଲା ଲୋକଙ୍କ ସଂଖ୍ୟା ହ୍ରାସ ପାଉଥିଲା। କିନ୍ତୁ ୨୦୧୪ ପରଠାରୁ ତାହା ପୁଣି ବଢ଼ିବାରେ ଲାଗିଛି। ଲୋକମାନଙ୍କୁ ଯଥେଷ୍ଟ ପରିମାଣର ଓ ପୁଷ୍ଟିଯୁକ୍ତ ଖାଦ୍ୟ ମିଳୁନାହିଁ। ନିମ୍ନମାନର ଆହାର ସ୍ବାସ୍ଥ୍ୟ ଓ ପରିବେଶ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ରିପୋର୍ଟରେ ସତର୍କ କରାଯାଇଛି। ୨୦୧୮ରୁ ୨୦୧୯ ବର୍ଷକ ଭିତରେ ଭୋକିଲା ଲୋକଙ୍କ ସଂଖ୍ୟା ୧୦ ନିୟୁତ ବୃଦ୍ଧି ପାଇଥିବା ବେଳେ ଗତ ପାଞ୍ଚ ବର୍ଷରେ ସେମାନଙ୍କ ସଂଖ୍ୟା ୬ କୋଟି ବଢ଼ିଛି। ଯଦି ଏହି ଧାରା ଜାରି ରହିବ ତେବେ ୨୦୩୦ ସୁଦ୍ଧା କ୍ଷୁଧାର୍ତ୍ତ ଲୋକଙ୍କ ସଂଖ୍ୟା ଶୂନ କରିବା ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ହାସଲ କରିବା ଅସମ୍ଭବ ହୋଇପଡ଼ିବ। ୨୦୩୦ ସୁଦ୍ଧା ଭୋକଉପାସ କବଳରେ ୮୯ କୋଟି ଲୋକ ଥିବେ ବୋଲି ଆକଳନ କରାଯାଇଛି। ଜାତିସଂଘ ଅଧୀନରେ ଥିବା ପାଞ୍ଚଟି ସଂସ୍ଥା ଖାଦ୍ୟ ଓ କୃ‌ଷି ସଂଗଠନ (ଏଫ୍‌ଏଓ), ଆନ୍ତର୍ଜାତିକ କୃଷି ବିକାଶ ପାଣ୍ଠି (ଆଇଏଫ୍‌ଏଡି), ୟୁନିସେଫ୍, ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫ୍‌ପି) ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଗତବର୍ଷ ରିପୋର୍ଟରେ ଭୋକିଲା ଲୋକଙ୍କ ସଂଖ୍ୟା ୮୨ କୋଟି ଥିବା ଆକଳନ କରାଯାଇଥିଲା। ମାତ୍ର ଚୀନ୍‌ରୁ ସଂ‌ଶୋଧିତ ତଥ୍ୟ ମିଳିବା ପରେ ପୁଣି ଥରେ ଭୋକିଲା ଲୋକଙ୍କ ସଂଖ୍ୟା ହିସାବ କରାଯାଇଥିଲା।

Show More
Back to top button