ଝାରପଡ଼ା ସ୍ବତନ୍ତ୍ର ଜେଲ୍: ୭୫୦ କଏଦୀ, ଆମ୍ବୁଲାନ୍ସ ଖଣ୍ଡେ ନାହିଁ

ସତ୍ୟଶିଖା (ଭୁବନେଶ୍ୱର) ୨୮/୧୨/୨୦୨୦ : ଝାରପଡ଼ା ସ୍ବତନ୍ତ୍ର ଜେଲ୍ । ଖାଲି ସ୍ବତନ୍ତ୍ର ନୁହେଁ, ହାଇପ୍ରୋଫାଇଲ ମଧ୍ୟ । ଗ୍ୟାଙ୍ଗଷ୍ଟର୍ଙ୍କଠାରୁ ଆରମ୍ଭ କରି ମାଓ ନେତା, ରାଜନେତା, ବାବୁ, ବ୍ୟବସାୟୀ, ଶିଳ୍ପପତି ସବୁ ଏଇ ଜେଲ୍ରେ ରହୁଛନ୍ତି । ରାଜ୍ୟର ଅନ୍ୟ ଜେଲ୍ ଅପେକ୍ଷା ଝାରପଡ଼ା ବେଶ୍ ସମ୍ବେଦନଶୀଳ ମଧ୍ୟ । ଜେଲରେ ୭୫୦ରୁ ଅଧିକ କଏଦୀ ରହୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଓ ଦୁଃଖର କଥା ହେଲା, ଏତେ କଏଦୀ ରହୁଥିଲେ ହେଁ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ଖଣ୍ଡିଏ ନାହିଁ । ଅସୁସ୍ଥ ହେଲେ ଯଦି କାହାକୁ ବାହାର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼େ, ୧୦୮ ଆମ୍ବୁଲାନ୍ସ ହିଁ ଡକରା ପଡ଼େ । କିନ୍ତୁ ପାଖାପାଖି ୯୦ ପ୍ରତିଶତ ଘଟଣାରେ ଏହି ୧୦୮ ଆମ୍ବୁଲାନ୍ସ ଠିକଣା ସମୟରେ ପହଞ୍ଚିପାରେନାହିଁ । ତେଣୁ ଜେଲ୍ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଭଡ଼ା ଗାଡ଼ିରେ ରୋଗୀଙ୍କୁ ହସ୍ପିଟାଲ ନେଇଥା’ନ୍ତି । ଏହି ବିଳମ୍ବିତ ପ୍ରକ୍ରିୟା ପାଇଁ କଏଦୀ ପ୍ରାଣ ହରାଇବାର ଅନେକ ନଜିର ରହିଛି । ନିକଟ ଅତୀତରେ ହୋଟେଲ ସୋଲାନ୍-ଇନ୍ର ମାଲିକ କମଳାକାନ୍ତ ଦାସ ଏଇ କାରଣ ପାଇଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ଦେଶର ଅନେକ ବଡ଼ବଡ଼ ଜେଲ୍ରେ ଆମ୍ବୁଲାନ୍ସ ସୁବିଧା ରହିଥିଲେ ମଧ୍ୟ ଝାରପଡ଼ା ଜେଲରେ କାହିଁକି ବ୍ୟବସ୍ଥା କରାଯାଉନାହିଁ, ଜେଲ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉ ନାହିଁ; ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସୂଚନାଯୋଗ୍ୟ, ଏକ ଠକେଇ ମାମଲାରେ ଗିରଫ ହୋଇ କମଳାକାନ୍ତ ଝାରପଡ଼ା ଜେଲ୍ରେ ଥିଲେ । ଗତ ୨୩ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । କିନ୍ତୁ ଠିକଣା ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଜେଲ୍ କର୍ତ୍ତୃପକ୍ଷ ଏକ ଅଟୋରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ କମଳାକାନ୍ତଙ୍କ ପରିବାରଲୋକ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କାହିଁକି ଆମ୍ବୁଲାନ୍ସ ବ୍ୟବସ୍ଥା କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରୋଗୀଙ୍କୁ ସ୍ଥାନାନ୍ତର ସମୟରେ ୧୦୮କୁ କଲ୍ କରାଯାଏ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୁଏ । ଫଳରେ ଭଡ଼ା ଗାଡ଼ି କରି ଅସୁସ୍ଥ କଏଦୀଙ୍କୁ ହସ୍ପିଟାଲ ନେବାକୁ ପଡ଼େ । ତେବେ କମଳାକାନ୍ତଙ୍କ ଘଟଣାରୁ ଜେଲ୍ ବିଭାଗ ପାଇଁ ଏକ ଶିକ୍ଷା ହେବ କି? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏ ସଂକ୍ରାନ୍ତରେ ଜେଲ୍ ଅଧୀକ୍ଷକ ଡି.ଏନ ବାରିକଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଆଗକୁ ଆମ୍ବୁଲାନ୍ସ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନିଆଯାଉଛି ।
ଜେଲରେ ହାଇପ୍ରୋଫାଇଲ୍
ଝାରପଡ଼ା ଜେଲ୍ରେ ବହୁ ହାଇ ପ୍ରୋଫାଇଲ କଏଦୀ ରହୁଛନ୍ତି । ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲ୍ ଯାଇଛନ୍ତି । ସେହିପରି ଆଇଏଫ୍ଏସ ଅଫିସର୍ ଅଭୟକାନ୍ତ ପାଠକ ଜେଲରେ ଥିବା ବେଳେ ପୂର୍ବରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଆଇଏଏଏସ୍ ଅଫିସର୍ ବିଜୟକେତନ ଉପାଧ୍ୟାୟ ଗିରଫ ହୋଇ ଜେଲ୍ ଯାଇଥିଲେ । ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ବିକ୍ରମ ମଲ୍ଲିକ ରହୁଥିବା ବେଳେ ପୂର୍ବରୁ ଡି ବ୍ରଦର୍ସ, ହାଇଦର ଭଳି ଅପରାଧୀମାନେ ମଧ୍ୟ ରହୁଥିଲେ । ସେହିପରି ମାଓନେତା ଆଜାଦ୍ ମଧ୍ୟ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛି । ଏହା ବାଦ୍ ଚିଟଫଣ୍ଡ ଠକ, ବ୍ୟବସାୟୀମାନେ ରହୁଛନ୍ତି ।
ହୋଟେଲ ମାଲିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି
ହୋଟେଲ ସୋଲାନ୍ ଇନ୍ ମାଲିକ କମଳାକାନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁଅ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଥିବା ନିର୍ଯାତନା ଅଭିଯୋଗର ଅନୁସନ୍ଧାନ ଚଳାଇଛି ପୁଲିସ୍ । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ନେଇ ଅନୁସନ୍ଧାନ କରାଯାଉଛି । ଅନ୍ୟପକ୍ଷରେ କମଳାକାନ୍ତ ବିଚାର ବିଭାଗୀୟ ହାଜତରେ ଥିବାରୁ ତାଙ୍କର ମୃତ୍ୟୁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ହୋଇପାରେ ବୋଲି ଜଣାପଡ଼ିଛି ।