ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେଲେ ୬ବର୍ଷର ଅରହମ୍

ସତ୍ୟଶିଖା (ଅହମଦାବାଦ) ୧୦/୧୧/୨୦୨୦ : ୬ବର୍ଷ ବୟସରେ ପିଲାମାନେ ବହୁତ କଷ୍ଟରେ ଏବିସିଡି ଏବଂ ୧ରୁ ୧୦୦ଯାଏଁ ଗଣିବା ଶିଖିପାରୁଥିବାବେଳେ ଅହମଦାବାଦର ୬ବର୍ଷର ଅରହମ୍ ଓମ୍ ତଲସାନିଆ ଏପରି କାରନାମା କରିଛନ୍ତି ଯେ ବଡ଼ ବଡ଼ ସଫ୍ଟଓ୍ବେୟାର ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
୬ବର୍ଷର ଏହି ଛୋଟ ପିଲାଟି କମ୍ପ୍ୟୁଟର ଦୁନିଆରେ ଏପରି କାରନାମା କରି ଦେଖାଇଛି ଯେ ଯାହା ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଛି । ଅରହମଙ୍କ ନାଁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡ଼ରେ ସବୁଠୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ସ୍ଥାନ ପାଇଛି । ଅରହମ୍ ତଲସାନିଆ ୬ବର୍ଷ ବୟସରେ ଶକ୍ତିଶାଳୀ ପାଇଥନ୍ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ଗିନିଜ ଓ୍ବାଲର୍ଡ ରେକର୍ଡ଼ କରିଛନ୍ତି । ଏହି ପରୀକ୍ଷା ୨୦୨୦ ଜାନୁୟାରୀ ୨୩ତାରିଖରେ ମାଇକ୍ରୋସଫ୍ଟ ଦ୍ୱାରା ଅଧିକୃତ ପିୟର୍ସନ ଭ୍ୟୁ ଟେଷ୍ଟ୍ ସେଣ୍ଟରରେ ଆୟୋଜିତ କରାଯାଇଥିଲା । ଏହି ପରୀକ୍ଷାକୁ ଅନେକ ଇଞ୍ଜିନୟର କ୍ରାକ୍ କରିପାରନ୍ତି ନାହିଁ କିନ୍ତୁ ଅରହମ୍ ଏହାକୁ କରି ଦେଖାଇଛନ୍ତି ।ଅରହମ୍ ପାକିସ୍ତାନୀ ମୂଳର ବ୍ରିଟିଶ୍ ବାଳକ ୭ବର୍ଷର ମହମ୍ମଦ ହମଜା ଶହଜାଦଙ୍କ ପ୍ରଥମ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ଼ ରେକର୍ଡ଼କୁ ଭାଙ୍ଗି ଦେଇଛନ୍ତି । ଏକ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କୁ ପ୍ରତିଷ୍ଠିତ ପ୍ରମାଣ ପ୍ରାପ୍ତ କରିବା ପାଇଁ ୧୦୦୦ରୁ ୭୦୦ ଅଙ୍କ ଦରକାର ଥିବାବେଳେ ଅରହମ୍ ୯୦୦ଅଙ୍କ ହାସଲ କରିଥିଲେ ଏବଂ ତାଙ୍କୁ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ ଭାବେ ମାନ୍ୟତା ମିଳିଛି । ଅହମଦାବାଦରେ ରହୁଥିବା ଅରହମଙ୍କ ବାପା ଓମ୍ ତଲସାନିଆ ପେଶାରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଏବଂ ତାଙ୍କ ପତ୍ନୀ ତୃପ୍ତି ତଲସାନିଆ ଲେକ୍ଚରର ଏବଂ ଇଞ୍ଜିନିୟର । ସେ ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେବାର ଗୌରବ ହାସଲ କରିଛନ୍ତି ।
ମାତ୍ର ୨ବର୍ଷ ବୟସରୁ ଅରହମଙ୍କୁ କମ୍ଫ୍ୟୁଟର ପ୍ରତି ଖୁବ୍ ଆସକ୍ତି ଥିଲା ଯାହା ଆଗକୁ ଯାଇ ଆହୁରି ବଢ଼ିଯାଇଥିଲା । ଯେତେବେଳେ ତାଙ୍କ ବାପା ଘରୁ କାମ କରୁଥିଲେ ସେତେବେଳେ ଅରହମ୍ ନିଜ ବାପାଙ୍କଠୁ ମଧ୍ୟ ବହୁତ କିଛି ଶିଖିଥିଲେ । ଏହା ପରେ ଅରହମ୍ ବାପାଙ୍କଠୁ ନିଜେ ଭିଡିଓ ଗେମ୍ ବନାଇବାର ଇଚ୍ଛା ପ୍ରକାଶ କରିଥିଲେ । ପୁଅର ଆଗ୍ରହକୁ ତାଙ୍କ ବାପା ବୁଝି ପାରିଥିଲେ । କାରଣ ଅରହମ ସବୁ ଜିନିଷ ବହୁତ ଶୀଘ୍ର ଶିଖି ଯାଉଥିଲେ ଏବଂ ଏପରି କ୍ଷେତ୍ରରେ ତାଙ୍କ ବାପା ଅରହମଙ୍କୁ ମାଇକ୍ରୋସଫ୍ଟ ଅଧିକୃତ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ।
ଏହି ପରୀକ୍ଷାର ବିଶ୍ୱରେ ଯଥେଷ୍ଟ ଉଚ୍ଚତରୀୟ ବିଶ୍ୱସନୀୟତା ରହିଛି । ଅରହମ ମାତ୍ର ୬ବର୍ଷ ବୟସରେ ଏହି ପରୀକ୍ଷା ପାସ୍ କରିଥିଲେ ।