ଯୁବତୀଙ୍କ ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସତ୍ୟଶିଖା (ଭୁବନେଶ୍ୱର) ୧୧/୧୧/୨୦୨୦ : ଜୟଦେବ ବାଟିକାରୁ ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଫୋରେନସିକ୍ ଟିମ୍ ତଦନ୍ତ ଜାରି ରଖିଛି ।ସୂଚନା ଅନୁସାରେ ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର ୫୩ ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିକଟରେ ସାଇକେଲ ଚାବି ସହ ୧୦ ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତେବେ ତାଙ୍କୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ତାଙ୍କ ମୃତଦେହକୁ ଏକ ଥୁଣ୍ଟା ଗଛରେ ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି ।ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରେନସିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ ଜାରି ରଖିଛି । ଯୁବତୀ ଜଣଙ୍କ ସାଲଓ୍ବାର ପିନ୍ଧିଥିବା ବେଳେ ବେକରେ ତାଙ୍କର ଚେନ୍ ଓ ପାଦରେ ପାଉଁଜି ପିନ୍ଧିଥିବା ଦେଖିବାକୁ ମିଳିଛି । ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version