ସ୍ତ୍ରୀକୁ ଶୌଚାଳୟରେ ବନ୍ଦ କରି ରଖିଥିଲା ସ୍ବାମୀ

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ହରିଆଣାରୁ ଏକ ଅମାନବୀୟତାର କରୁଣ ଚିତ୍ର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ଶୌଚାଳୟରେ ବନ୍ଦ ରଖାଯାଇ ଥିଲା । ଏ ନେଇ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ସେ ହିଁ ସମ୍ପୃକ୍ତ ମହିଳାଙ୍କୁ ଶୌଚାଳୟରେ ବନ୍ଦ କରି ରଖିଥିଲେ । ତେବେ ଏ ଘଟଣା ହେଉଛି ହରିଆଣାରୁ ପାନିପତର ସନୋଲି ଇଲାକାର । ଅଭିଯୁକ୍ତ ସ୍ୱାମୀ ତା ସ୍ତ୍ରୀକୁ ମାଡ ମାରୁଥିଲା ଓ ଖାଇବାକୁ ମଧ୍ୟ ଦେଉ ନ ଥିଲା ।ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ସଂରକ୍ଷଣ ଅଧିକାରୀ ରଜନୀ ଗୁପ୍ତା ସନୋଲି ପୋଲିସର ସାହାଯ୍ୟ ଲୋଡିଲେ । ପୋଲିସ ସହାୟତା କ୍ରମେ ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ଶୌଚାଳୟରୁ ବାହାରିବା ମାତ୍ରେ ମହିଳା ଜଣକ ପ୍ରଥମେ ଖାଇବାକୁ ମାଗିଲେ । ମହିଳାଙ୍କୁ ଗାଧୋଇବା ପରେ ତାଙ୍କୁ ଶାଢ଼ି ଚୁଡ଼ି ପିନ୍ଧା ଯିବା ପରେ ସେ ଲିପଷ୍ଟିକ ମଧ୍ୟ ମାଗିଲେ । ଦୀର୍ଘ ଦିନ ଶୌଚାଳୟରେ ବନ୍ଦ ରହିବାରୁ ତାଙ୍କ ଗୋଡ ସିଧା ହେଉ ନାହିଁ । ଏହା ସହ ଶୀରର ଅସ୍ଥି ଗୁଡ଼ିକର ଢ଼ାଞ୍ଚା ମଧ୍ୟ ବଦଳି ଯାଇଛି । ସୂଚନାଯୋଗ୍ୟ ୩୫ ବର୍ଷୀୟା ରାମରତିଙ୍କ ସ୍ୱାମୀ ନରେଶ ଶୌଚାଳୟରେ ବନ୍ଦ କରି ରଖିଥଲା । କେବଳ ଦିନକୁ ଗୋଟିଏ ଓଳି ବାହାରକୁ ବାହାର କରି ଖାଇବାକୁ ଦେଉଥିଲା । ଏ ବାବଦରେ ସୂଚନା ମିଳିବା ପରେ ଜିଲ୍ଲା ଅଧିକାରୀ ସେଠାରେ ପହଞ୍ଚିଲେ । ସେତେବେଳେ ନରେଶ ସାଙ୍ଗମାନଙ୍କ ସହ ବସି ତାସ ଖେଳୁଥିଲା । ତେବେ ମହିଳାଙ୍କୁ ସ୍ୱାମୀଙ୍କ ବାବଦରେ ପଚରାଯିବାରୁ ସେ କିଛି କହି ନାହାନ୍ତି ।
ଅପରିଷ୍କାର ପୋଷାକରେ ବନ୍ଦ ହୋଇ ରାମରତି ଶୌଚାଳୟରେ ବନ୍ଦ ରହିଥିଲେ । ବାହାରକୁ ବାହାରି ଖାଇବା ପରେ ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ନରେଶ କହିଛି ୧୦ ବର୍ଷ ପୂର୍ବରୁ ରାମରତିଙ୍କ ବାପା ଓ ଭାଇଙ୍କ ମୃତ୍ୟୁ ହୋଇଯାଇଛି । ଏହା ପରେ ହିଁ ରାମରତି ମାନସିକ ରୋଗରେ ପୀଡ଼ିତ ଥିଲେ । କୁଆଡେ ଘର ଛାଡି ଚାଲି ନ ଯିବା ପାଇଁ ସେ ତାଙ୍କୁ ଶୌଚାଳୟରେ ବନ୍ଦ ରଖିଥିବା କହିଛନ୍ତି ନରେଶ । ତେବେ ଡାକ୍ତର ରିପୋର୍ଟ ନରେଶକୁ ମଗାଯିବାରୁ ସେ ୩ ବର୍ଷ ପୁରୁଣା ରିପୋର୍ଟ ଦେଇଛି । ଏବେ ନରେଶଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।