

ସତ୍ୟଶିଖା ( ଭୁବନେଶ୍ୱର ) ୧୪ .୦୯.୨୦୨୦ : ଅଜିତ ଦାସ ଜୀବନ ଯୁଦ୍ଧରେ ହାରିଗଲେ । କିନ୍ତୁ ହାରି ବି ଜିତିଗଲେ । ମୟୂରଭଞ୍ଜର କରଞ୍ଜିଆରୁ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଏବଂ ଓଡିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟ । ଜଣେ ଉଚ୍ଚକୋଟୀର କଳାକାର, ଛାତ୍ରବତ୍ସଳ ଅଧ୍ୟାପକ ଏବଂ ବହୁମୁଖୀ ପ୍ରତିଭାର ଅଧିକାରୀଅଜିତ ଦାସ । ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନଟିଏ ହାସଲ କରି ପାରିଛନ୍ତି । ବେସ୍ ମେଳାପୀ ଓ ହସଖୁସିଆ ଥିଲେ ସେ । ସମସ୍ତେ ତାଙ୍କୁ ଝୁରନ୍ତି । ଠିକ୍ ସେହିଭଳି ସେ ଜଣେ ଶୃଙ୍ଖଳାରେ ବନ୍ଧା ଅଧ୍ୟାପକ ବି ଥିଲେ । ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କଠାରୁ ଆରମ୍ଭ କରି ଅଶୃମୋଚ୍ଚନ, ଶ୍ରୀତମ ଦାସ ଏବଂ ଓଡିଆ ସିନେ, ମଞ୍ଚ ନାଟକ ସହ ଜଡିତ କଳାକାର ଅଭିନେତା ସମସ୍ତେ ବଖାଣନ୍ତି ଅଜିତଙ୍କ ସ୍ମୃତି । ସେ ଜଣେ ଭଲ ଅଭିନେତା, ନିର୍ଦ୍ଦେଶକ, ଲେଖକ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁରୁ ଓଡିଆ ସିନେମାରେ ଅଭିନୟ ଆରମ୍ଭ କରିଥିବା ଅଜିତ ଦାସ ୬୦ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରିଛନ୍ତି । ଖଳନାୟକରୁ ଅଭିନୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ନାୟକ ଓ ଚରିତ୍ର ଅଭିନେତା ଭୂମିକାରେ ନିଜର ଦକ୍ଷତା ପ୍ରମାଣିତ କରିଥିଲେ । ମଲାଜହ୍ନ, ହାକିମ୍ ବାବୁ, ତୁଣ୍ଡ ବାଇଦ, ମାଆ, ଆଦି ଓ ତାଙ୍କ ଅଭିନୀତ ବହୁ ଚଳଚ୍ଚିତ୍ର ଏବେବି ଓଡିଆ ସିନେ ଜଗତର ପ୍ରମୁଖ ଏବଂ ସଫଳ ସିନେମା ହୋଇ ରହିଛି ।
ବରିଷ୍ଠ ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କ ମତରେ ଅଜିତ ଦାସ ସିନେମା ଅପେକ୍ଷା ନାଟକ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଇଛି । କ୍ଲାସିକ୍ ଡ୍ରାମା ମଲାଜହ୍ନ ଭଳି ଏବଂ ସେହି ଭଳି କାହାଣୀରୁ ସେ ଅଧିକ ପସନ୍ଦ କରୁଥିଲେ । ୧୯୮୭-୮୮ରୁ ସେ ସିନେମାରେ ଛୋଟ କିନ୍ତୁ ବେସ୍ ଶକ୍ତିଶାଳୀ ଭୂମିକାରେ ଅଧିକ ଅଭିନୟ କରିଥିବା ଦେଖାଦେଇଛି । ସେହି ଭଳି ସିନେମାରେ ତାଙ୍କ ଅଭିନୟ ବେସ୍ ମନଛୁଆଁ ହୋଇଛି । ତୁଣ୍ଡ ବାଇଦରେ କମ୍ ସମୟର ବଡ ଭାଇ ଭୂମିକା ଅଭିନୟ କରିବି ସେ ଦର୍ଶକଙ୍କ ମନ ଛୁଇଁଥିଲେ । କିନ୍ତୁ ଏହି ମୁଖ୍ୟ ନାୟକ ଥିଲେ ଉତ୍ତମ ମହାନ୍ତି । ସେଭଳି ପ୍ରସନଜିତଙ୍କ ଅଭିନୀତ ମାଆରେ ଛୋଟ ଭୂମିକାରେ ନଜର ଆସି ସେ ଦର୍ଶକଙ୍କ ମନ କିଣିଥିଲେ । ପରବର୍ତ୍ତୀ ସମୟରେ ସେ ଅଧିକ ମାତ୍ରାରେ ମଞ୍ଚନାଟକ ଆଡକୁ ଢଳିଥିଲେ । ସେ ଅଜିତ ନାମରେ ଏକ ନାଟ୍ୟସଂସ୍ଥା ଗଢିଥିଲେ । ମେଳାପୀ ଓ ହସଖୁସିଆ ସ୍ୱଭାବର ଅଜିତ ଜଣେ ଭଲ ଶିକ୍ଷକ ଥିଲେ । ଅଭିନୟ ସହ ଲେଖାଲେଖିରେ ଦକ୍ଷତା ରଖୁଥିବା ଅଜିତ ଡ୍ରାମାରେ ଗ୍ରାମ୍ର ପ୍ରତି ବେସ୍ ଗୁରୁତ୍ୱ ଦେଉଥିଲେ ବୋଲି କୁହନ୍ତି ସୂର୍ଯ୍ୟ ଦେଓ ।
ସୂଚନାଯୋଗ୍ୟ, ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ ରବିବାର ୭୧ ବର୍ଷ ବୟସରେ ଅଜିତ ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି ।୨୦ ଜାନୁଆରୀ ୧୯୪୯ରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଅଜିତ୍ ଦାସଙ୍କ ଜନ୍ମ । ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଅଜିତ ଦାସ୍ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । କିଛି ଦିନ ତଳେ ଅଜିତ ଦାସ କୋଭିଡ୍ ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା । ରବିବାର ଦିନ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ କୋଭିଡ୍ ସହ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।