ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : କରୋନା ମହାମାରୀର ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା ପରେ ସପିଙ୍ଗ୍ ଏକ ପ୍ରକାର ଠପ୍ ହୋଇଯାଇଥିଲା । ଦୀର୍ଘଦିନ ପର୍ଯ୍ୟନ୍ତ ନିଜକୁ ନିୟନ୍ତ୍ରଣରେ ରଖିବା ପରେ ଲୋକମାନେ ପୁଣି ଥରେ ସପିଙ୍ଗ୍ ମୁହାଁ ହୋଇଛି । ସାରା ଭାରତରେ ଲୋକମାନେ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାରେ ବ୍ୟସ୍ତ ହୋଇପଡ଼ିଛନ୍ତି । ଲୋକମାନେ ରୋଷେଇ ସାମଗ୍ରୀ, ଧାତବ ସାମଗ୍ରୀ, ବାସନକୁସନ, ହୋମ୍ ଡେକର୍, କେକ୍, ମୃଦୁ ପାନୀୟ, ଗହଣା, ପୋଷାକରେ ପାର୍ଟି ଓ ଫର୍ମାଲ୍ ଓୟାର, ଘରେ ବ୍ୟବହୃତ ହେଉଥିବା ସରଞ୍ଜାମ, ପାଠପଢ଼ାରେ ଲାଗୁ ଥିବା ଆସବାବପତ୍ର, ଖାଦ୍ୟ ସାମଗ୍ରୀ ଆଦି ଅଧିକ କିଣୁଛନ୍ତି । ୨୦୧୭ରେ ଦେଶବାସୀ ସପିଙ୍ଗ୍ରେ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିଲେ । ୨୦୧୮ରେ ୧.୫ ଲକ୍ଷ କୋଟି ଟଙ୍କା ଓ ୨୦୧୯ରେ ୧.୬ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିଲେ । ୨୦୨୦ରେ ସେମାନେ ୧.୦୪ ଲକ୍ଷ କୋଟି ଟଙ୍କା ବ୍ୟୟ କରିସାରିଲେଣି ।
ଗତ ୯ ମାସ ହେଲାଣି ଲୋକମାନେ ବାହାରେ ଖାଇବା, ଗମନାଗମନ ଓ ଦୋକାନରୁ ସପିଙ୍ଗ୍ କରିବା ଠାରୁ ଏକପ୍ରକାର ଦୂରେଇ ରହିଥିଲେ । କରୋନା ଟିକା ଆସିବା ଖବର ପ୍ରଚାରିତ ହେବା ପରଠାରୁ ଲୋକମାନଙ୍କ ମନରେ ଥିବା ଭୟ ହ୍ରାସ ପାଇଛି । ସେମାନେ ନିଜ ଆଡ଼ୁ ଯଥା ସମ୍ଭବ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ଅତିକମ୍ରେ ସପିଙ୍ଗ୍ କରିବା ଏବଂ ଆଖପାଖ ସ୍ଥାନ ବୁଲିବା ଲାଗି ବାହାରିବା ଆରମ୍ଭ କରିଛନ୍ତି । ଫେସନ ଷ୍ଟୋର୍ଗୁଡ଼ିକରେ ବିଲିଂ ପରିମାଣ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ହାରାହାରି ବିଲ୍ ମୂଲ୍ୟ ୧୫-୨୦ ପ୍ରତିଶତ ଅଧିକ ରହିଛି ।
ଲକ୍ଡାଉନ୍ ଆରମ୍ଭ ହେବା ସମୟରେ ଲୋକମାନେ ବଡ଼ ପ୍ୟାକେଟ୍ କିଣିବାକୁ ପସନ୍ଦ କରୁଥିଲେ, କାରଣ ସେମାନେ ଘରୁ ବାହାରିବାକୁ ଚାହୁନଥିଲେ । ଏବେ ସେମାନେ ଛୋଟ ପ୍ୟାକେଟ୍ କିଣିବା ଆରମ୍ଭ କରିଛନ୍ତି । ସ୍କ୍ବାସ୍, ପାଉଡର୍, ସସ୍, କେଚ୍ଅପ୍, ବୋତଲରେ ଥିବା ମୃଦୁ ପାନୀୟ, ଜାମ୍ ଏବଂ ମହିଳାମାନେ ବ୍ୟବହାର କରୁଥିବା ସ୍ବଚ୍ଛତା ସାମଗ୍ରୀ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ଲକ୍ଡାଉନ୍ ସମୟରେ ଏହି ସାମଗ୍ରୀଗୁଡ଼ିକର ବିକ୍ରି ହ୍ରାସ ପାଇଥିଲା । ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପୋଷାକରେ ପାର୍ଟିଓୟାର ବିକ୍ରି ୪୧%, ସେମି-ଫର୍ମାଲ୍ ବିକ୍ରି ୧୬% ଓ ଫର୍ମାଲ୍ ଓୟାର ବିକ୍ରିରେ ୪୧% ବୃଦ୍ଧି ଘଟିଛି ।