ନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ଘୋଡାହାଡ ଡ୍ୟାମ୍‌ର ଜଳସ୍ତର ବଢୁଛି

ସତ୍ୟଶିଖା (ସାନଖେମୁଣ୍ଡି) ୧୩/୧୦/୨୦୨୦ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଘୋଡାହାଡ ଡ଼୍ୟାମରେ ଜଳପତ୍ତନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।ଡ଼୍ୟାମର ଉପର ମୁଣ୍ଡରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ରାମ ନଦୀ ସମେତ ଅନ୍ୟାନ୍ୟ ଶାଖା ନଦୀ ମାନଙ୍କରୁ ସେକେଣ୍ଡ ପ୍ରତି ୫୭ କ୍ୟୁମିକ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରୁଛି । ସକାଳ ୬ ଟାରୁ ୮ଟା ମଧ୍ୟରେ ଡ଼୍ୟାମ ଅଞ୍ଚଳରେ୧୩ ମିଲିମିଟର ବର୍ଷା ହୋଇଥିବାରୁ ଡ଼୍ୟାମର ଜଳପତ୍ତନ କ୍ରମଶଃ ବଢ଼ିବାରେ ଲାଗିଛି । ମଧ୍ୟାହ୍ନ ୧୨ଟା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଯେ କୌଣସି ମୁହୂର୍ତ୍ତରେ ସ୍ପିଲୱେ ଦେଇ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଜଳସେଚନ କାର୍ଯ୍ୟାଳୟ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ କହିଛନ୍ତି ।ଫଳରେ ଘୋଡାହାଡ ନଦୀ ତଟବର୍ତ୍ତୀ ସେବକ ଟିକରପଡ଼ା, ଗୋଲଣ୍ଡା, ବୋରିପଦର, ମଧୁବନ, ପେଣ୍ଠା, ନୁଆଗଡ, କଇଠଖଣ୍ଡି, ତଲାସିଙ୍ଗି, ଗୁମ୍ମା, ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ବର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି, ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଗାଧୋଇବା କିମ୍ବା ଶୌଚ ପାଇଁ ଯିବାକୁ ବାରଣ କରାଯାଇଛି । ଏପରିକି ଗୃହପାଳିତ ପ୍ରାଣୀମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

Show More
Back to top button