

ସତ୍ୟଶିଖା ୨୧/୦୧/୨୦୨୧ : ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ । ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ । ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ ଅଥବା ଭ୍ରମଣର ସ୍ୱତନ୍ତ୍ର ମଜା ପାଇଁ ହେଉ ବହୁ ଲୋକେ କେତେକ ଗାଁ ଅଞ୍ଚଳକୁ ବୁଲିବାକୁ ଯାଇଥିବେ । ଆଜି ଏପରି ଏକ ଗାଁ ବିଷୟରେ ଜାଣନ୍ତୁ ଯାହା ଭାରତର ଶେଷ ଗାଁ ଭାବେ ପରିଚିତ ।
ଉତ୍ତରାଖଣ୍ଡରେ ରହିଛି ଏହି ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନର ସୀମା ଆରମ୍ଭ ହୋଇଥାଏ । ଗାଁଟିର ନାମ ହେଉଛି ‘ମାଣା’ । ଏଠାକୁ ଗଲେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଅନୁଭବ କରି ପାରିବେ । ଏହି ଗାଁ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଏଠାରେ ବହୁ ପୌରାଣିକ ସ୍ଥାନ ମଧ୍ୟ ରହିଛି । ଏଠାରେ ପ୍ରଭୁ ଗଣେଶଙ୍କ ଗୁମ୍ଫା, ଭାରତ- ଚୀନ ସୀମା, ହିମାଳୟ ଇତ୍ୟାଦିର ସୁନ୍ଦରତାକୁ ଆପଣ ମନ ଭରି ଉପଭୋଗ କରିପାରିବେ ।
ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ଧାମରୁ ପ୍ରାୟ ୪ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ । ଏହି ଗାଁରେ କେବଳ କିଛି ମାସ ହିଁ ଲୋକେ ଚଳ ପ୍ରଚଳ ଦେଖିବାକୁ ମିଳିଥାଏ । ଯେଉଁ ପର୍ୟ୍ୟନ୍ତ ବଦ୍ରିନାଥ ଧାମକୁ ଦର୍ଶନ ବନ୍ଦ ହୁଏ , ସେହି ସମୟରେ ଏହି ଗାଁକୁ ମଧ୍ୟ ଲୋକେ ଆସିବା ବନ୍ଦ କରି ଦିଅନ୍ତି ।
ଏଠାକୁ ଭ୍ରମଣ ପାଇଁ ଯିବାର ପ୍ରକୃତ ସମୟ ହେଉଛି ମେ’ ରୁ ଅକ୍ଟୋବର ମାସ । ଏହି ସମୟରେ ଶହ ଶହ ପର୍ୟ୍ୟଟକ ଏହି ଗାଁକୁ ବୁଲିବାକୁ ଆସିଥାଆନ୍ତି । ଏହାସହ ଏହି ସମୟରେ ବଦ୍ରିନାଥ ମନ୍ଦିର ଖୋଲା ରହୁଥିବାରୁ ଏଠାରେ ପ୍ରକୃତିର ସୌନ୍ଦର୍ୟ୍ୟ ସ୍ୱର୍ଗ ସଦୃଶ ଅନୁଭବ ହୋଇଥାଏ ।
ଗମନାଗମନ ଦୃଷ୍ଟିରୁ ହରିଦ୍ୱାର ଏବଂ ଋଷିକେଶରୁ ଏହି ଗାଁକୁ ଆପଣ ସଡ଼କପଥରେ ଯାଇପାରିବେ । ହରିଦ୍ୱାରରୁ ମାଣା ଗାଁ ଯିବାକୁ ଟ୍ୟାକ୍ସି ଓ ବସର ସୁବିଧା ମଧ୍ୟ ରହିଛି । ହରିଦ୍ୱାରକୁ ଆପଣ ଯେକୌଣସି ସ୍ଥାନରୁ ରେଳପଥରେ ଯାଇପାରିବେ ।