ସତ୍ୟଶିଖା(ନୂଆଦିଲ୍ଲୀ) ୨୬.୦୪.୨୦୨୧: ମହାମାରୀ କରୋନା ଯୋଗୁ ଭାରତରେ ବିପର୍ଯ୍ୟୟ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୈନିକ ହଜାର ହଜାର ଲୋକ ଅକ୍ସଜେନ୍ ଅଭାବ ଯୋଗୁ ଆଖି ବୁଜୁଛନ୍ତି। ଏପରି ମହାବିପତ୍ତି ସମୟରେ କୋଭିଶିଲ୍ଟ ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ପଠାଇବାକୁ ପ୍ରଥମେ ରୋକଠୋକ ମନା କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ଏବେ ଭାରତକୁ ସହାୟତା କରିବାକୁ ଅଣ୍ଟା ଭିଡ଼ିଛି।
କୋଭିଡର ପ୍ରଥମ ଲହରରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେତେବେଳେ ପ୍ରକୃତ ବନ୍ଧୁର ପରିଚୟ ଦେଇଥିଲା ଭାରତ। ଆମେରିକା ଆବଶ୍ୟକ କରୁଥିବା ପାରାସିଟାମଲ ସମେତ ଅନେକ ଔଷଧ ପର୍ଯ୍ୟାପ୍ତ ପରିମାଣର ପଠାଇଥିଲା। ଏବେ ଭାରତର ବିପଦ ବେଳେ ସାହାଯ୍ୟର ହାତ ବଢ଼ାଇବାକୁ ଆଗେଇ ଆସିଥିବା ଆମେରିକା ଋଣ ସୁଝିବାକୁ ପ୍ରୟାସ କରୁଥିବା ଆଲୋଚନା ହେଉଛି।
କୋଭିଶିଲ୍ଟ ଟିକା ପାଇଁ ଆବଶ୍ୟକ କଞ୍ଚା ମାଲ ଭାରତକୁ ରପ୍ତାନୀ ଉପରେ ଆମେରିକା ପ୍ରଥମେ ଳଗାଇଥିବା ପ୍ରତିବନ୍ଧକକୁ ଏବେ ଉଠାଇ ଦେଇଛି। ଆମେରିକାର ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରବିବାର ଆମେରିକା ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଉଭୟ ଫୋନ୍ ଜରିଆରେ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିଥିଲେ। ପରେ ଆମେରିକା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।