

ସତ୍ୟଶିଖା ( ନ୍ୟୁୟର୍କ ) ୩ .୦୯.୨୦୨୦ : ପୁଣି ଥରେ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ନେଇ ମିଳିତ ଜାତିସଂଘରେ ଅପମାନିତ ହୋଇଛି ପାକିସ୍ତାନ । ଦୁଇ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଉଦ୍ୟମ ବିଫଳ ହୋଇଛି । ଅଙ୍ଗରା ଆପାଜୀ ଏବଂ ଗୋବିନ୍ଦ ପଟ୍ଟନାୟକ ନାମକ ଦୁଇ ଭାରତୀୟଙ୍କୁ ‘ୟୁଏନଏସସି’ର ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ କମିଟି ଦ୍ୱାରା ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବାକୁ ପାକିସ୍ତାନ ଯୋଜନା କରିଥିଲା । କିନ୍ତୁ ପାକିସ୍ତାନର ଏହି ପଦକ୍ଷେପକୁ ପ୍ରତ୍ୟାଖାନ କରିଛନ୍ତି ‘ୟୁଏନଏସସି’ର ପାଞ୍ଚଜଣ ସଦସ୍ୟ । ପାକିସ୍ତାନର ଏହି ପଦକ୍ଷେପକୁ ଆମେରିକା, ଫ୍ରାନ୍ସ, ବ୍ରିଟେନ ଜର୍ମାନୀ ଏବଂ ବେଲଜିୟମ ବିରୋଧ କରିଥିଲେ ।
ସୂଚନା ଅନୁସାରେ, ଭାରତୀୟ ନାଗରିକଙ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପାକିସ୍ତାନକୁ ପ୍ରମାଣ ମଗାଯାଇଥିଲା । କିନ୍ତୁ ପାକିସ୍ତାନ କୌଣସି ପ୍ରମାଣ ଦେଇନପାରିବାରୁ ପାଞ୍ଚଟି ଦେଶ ପାକିସ୍ତାନର ପ୍ରସ୍ତାବକୁ ବିରୋଧ କରିଥିଲେ । ଏହି ଭାରତୀୟମାନଙ୍କ ଉପରେ ବାଲୁଚିସ୍ତାନ ଏବଂ ପେଶାୱରରେ ଆତଙ୍କବାଦୀ ଆକ୍ରମଣ ଅଭିଯୋଗ ଲଗାଇଥିଲା ପାକିସ୍ତାନ ।