

ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୦୩.୨୦୨୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଇତିମଧ୍ୟରେ ଦୁଇ ଦେଶର ଅନେକ ଧନଜୀବନ ନଷ୍ଟ ହୋଇଛି । ରୁଷ ଏବେ ଯୁଦ୍ଧ ବିରତି ରଖିଥିବା ବେଳେ ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରୁଷର ୪୧ ଆର୍ମି ମୁଖ୍ୟ ମେଜର ଜେନେରାଲ ଜେନ ବିଟାଲୀ ଗେରାସିମୋଭ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ରୁଷୀୟ ପ୍ରତିରକ୍ଷା ଅଧିକାରୀ ଏନେଇ କଥା ହେଉଥିଲେ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଏହି ଯୁଦ୍ଧରେ ରୁଷର ୫୦୦ ସୈନ୍ୟ ମୃତ୍ୟୁବରଣ କରିବା ସହ ୧୬୦୦ ଆହତ ହୋଇଥିବା ମସ୍କୋ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ବ୍ରିଟିଶ ଅଫିସିଆଲ ପକ୍ଷରୁ କୁହାଯାଇଥିଲା । ସେହିପରି ୧୧ ହଜାରରୁ ଅଧିକ ସେନାଙ୍କୁ ମାରିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଥିଲେ ।
ପୂର୍ବରୁ ଡେପୁଟି କମାଣ୍ଡର ମେଜର ଜେନେରାଲ ଆଣ୍ଡି୍ର ସୁଖୋଭେଟସ୍କି ମଧ୍ୟ ଯୁଦ୍ଧରେ ମୃତ୍ୟୁବରଣ କରି ସାରିଛନ୍ତି । ରୁଷ ପକ୍ଷରୁ ସେନାକୁ ଆବଶ୍ୟକୀୟ ସରଞ୍ଜାମ ଯୋଗାଣ ହୋଇପାରିନଥିବାରୁ ଯୁଦ୍ଧରେ ବାଧା ଉପୁଜିଥିବା ଜଣାପଡ଼ିଛି । ଅପରପକ୍ଷରେ ଯୁଦ୍ଧରେ ୟୁକ୍ରେନକୁ ରୁଷ ଜୟ କରିପାରିବ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିୟର ଜେଲେନସ୍କି କହିଛନ୍ତି ।