ରାଜ୍ୟ

୧୨ଦିନ ଧରି ଜଳୁଛି ତେଲକୋଇ ବନାଞ୍ଚଳର ୨ ସଂରକ୍ଷିତ ଜଙ୍ଗଲ

ସତ୍ୟଶିଖା(ତେଲକୋଇ) ୧୨ .୦୩.୨୦୨୧: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଦୁଇଟି ସଂରକ୍ଷିତ ଜଙ୍ଗଲରେ ପୁଣି ନିଆଁ ଲାଗିଛି । ନିଆଁର ପ୍ରକୋପ ଥମିବାର ନା ଧରୁନି । ୧୨ଦିନ ଧରି ତେଲକୋଇ ରେଞ୍ଜର ବେଣାମୁଣ୍ଡା, ଶିଖେଶ୍ୱରୀ, ସମାକୋଇ, କଳାପାଟ, ସଂରକ୍ଷିତ ଜଙ୍ଗଲ ବିଭିନ୍ନ ସ୍ଥାନରେ ନିଆଁ ହୁତୁ ହୁତୁ ହୋଇ ଜଳୁଛି  । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି । ଦିନରାତି ସଂରକ୍ଷିତ ଜଙ୍ଗଲରେ ନିଆଁ ଜଳୁଛି । କରଦାଙ୍ଗି ପଞ୍ଚାୟତ ଶିଖେଶ୍ୱରୀ ସଂରକ୍ଷିତ ଜଙ୍ଗଲର ମାଙ୍କଡ଼ ଚୁଆ ଆମ୍ବତଇଲା, କ୍ଷେତ୍ରାମୁଣ୍ଡା ଗାଁ ପାଖ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବିମଳା ଫରେଷ୍ଟ ବିଟର ବେଣାମୁଣ୍ଡା ସଂରକ୍ଷିତ ଜଙ୍ଗଲର ୧୩୦୦ ହେକ୍ଟର ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଛି । ହୁତୁ ହୁତୁ ହୋଇ ନିଆଁ ଜଳିବା ଫଳରେ ପୋଡି ଯାଉଛି ଶାଳ ପିଆଶାଳ ଜଙ୍ଗଲ । ବନ ସୁରକ୍ଷା ସମିତି ସାହାଯ୍ୟରେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରାଯାଉଛି । ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ବାରହା, ସମ୍ବର, ହରିଣ, ମାଙ୍କଡ଼ ଠେକୁଆ ଭଳି ଅନେକ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି । ସେମାନଙ୍କ ଜୀବନ ବିପଦ ପଡିବାର ଆଶଙ୍କା ଦେଖାଦେଇଛି । ଜଙ୍ଗଲରେ ନିଆଁ ଲିଭୁନଥିବା ସହିତ ଅଧିକରୁ ଅଧିକ ଜଙ୍ଗଲ ନିଆଁର ପ୍ରକୋପ ମଧ୍ୟକୁ ଆସୁଥିବାରୁ ବନ ବିଭାଗ ଏବେ ତେଲକୋଇ ରେଞ୍ଜର ୧୨୭ଟି ବନ ସୁରକ୍ଷା ସମିତିରୁ ୨୭ଟି ବନ ସୁରକ୍ଷା ସମିତିର ସାହାଯ୍ୟ ଲୋଡିଥିବା ଜଣାପଡିଛି । ତେଲକୋଇ ବନାଞ୍ଚଳରେ ୩୪ ହଜାର ହେକ୍ଟରରୁ ଉର୍ଦ୍ଧ୍ବ  ଜଙ୍ଗଲ ଏବେ ନିଆଁର ମୁହଁରେ ରହିଛି । ଅଧିକରୁ ଅଧିକ ଭୟଙ୍କର ରୂପ ଧାରଣ କରୁଛି ବନାଗ୍ନି  ଯାହାକୁ ନେଇ ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି ।

Show More
Back to top button