ସତ୍ୟଶିଖା :୨୯/୦୫/୨୦୨୫: ଆମେରିକା ସରକାରରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ । ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳୁଥିବା ମସ୍କ ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ ।
ଏହା ଘୋଷଣା କରି, ମସ୍କ X ରେ ପୋଷ୍ଟ କରିଛନ୍ତି, “ଯେତେବେଳେ ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ ମୋର ନିର୍ଦ୍ଧାରିତ ସମୟ ଶେଷ ହେଉଛି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅପବ୍ୟୟ ଖର୍ଚ୍ଚ ହ୍ରାସ କରିବାର ସୁଯୋଗ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି। DOGE ମିଶନ ସମୟ ସହିତ ଅଧିକ ଶକ୍ତିଶାଳୀ ହେବ କାରଣ ଏହା ସରକାର ଚଳାଇବାର ଏକ ଉପାୟ ପାଲଟିବ। ଏହି ଘୋଷଣା ପୂର୍ବରୁ ସେ ଟ୍ରମ୍ପଙ୍କ ‘ବଡ଼, ସୁନ୍ଦର’ ବିଲ୍ କୁ ସମାଲୋଚନା କରିଥିଲେ।
ତେବେ ଟ୍ରମ୍ପ ଦ୍ବିତୀୟଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏଲନ ମସ୍କଙ୍କୁ ଡିଓଜିଇର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ । ଏହି ବିଭାଗର କାର୍ଯ୍ୟ ଥିଲା ସରକାରୀ ଖର୍ଚ୍ଚ ଅର୍ଥ କମ କରିବା ଏବଂ ଅଯଥା ନିଯୁକ୍ତିକୁ କମାଇବା । ମସ୍କ ଏହି ବିଭାଗର ଦାୟିତ୍ବ ନେବା ପରେ ଅନେକ ବିଭାଗରୁ ଛଟେଇ କରାଯାଇଥିବା ବେଳେ ସରକାରୀ ଖର୍ଚ୍ଚ କାଟ କରାଯାଇଥିଲା । ହେଲେ ଏବେ ଉକ୍ତ ପଦବିକୁ ବାଏ ବାଏ କରିଛନ୍ତି ମସ୍କ । କୁହାଯାଉଛି, ଟ୍ରମ୍ପଙ୍କର ମନଇଚ୍ଛା ନିଷ୍ପତ୍ତି ଏହା ପଛର ବଡ଼ କାରଣ । ଗତ କିଛି ଦିନ ହେବ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ବେଶ ବିବାଦୀୟ ହେଉଛି । ଆଉ ଏହି କାରଣରୁ ମସ୍କ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।