ସତ୍ୟଶିଖା( କଟକ )୩୦.୦୪.୨୦୨୨ : ରାଜ୍ୟର ଦୂରଦୂରାନ୍ତ ଅଂଚଳରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ। ରାଜ୍ୟ ସରକାର ଆଜି କଟକ ଏସସିବିରେ ବହିର୍ବିଭାଗ ରୋଗୀ ସେବା ବା OPD ପାଇଁ ଅନଲାଇନ ବୁକିଂ ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ମେ ମାସ ୯ ତାରିଖରୁ ଆରମ୍ଭ ହେବ। ମେ ୧୦ରୁ ଅନ୍ଲାଇନ୍ ଟିକେଟ୍ର ପ୍ରିଣ୍ଟ ଧରି ରୋଗୀ ଓପିଡିରେ ଡାକ୍ତରଙ୍କୁ ଦେଖାଇପାରିବେ।
ପୂର୍ବରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡା ହୋଇ ଟିକେଟ ସଂଗ୍ରହ କରିବାକୁ ପଡୁଥିଲା। କେବଳ ସେତିକି ନୁହେଁ, କେତେଜଣ ଅଭିଜ୍ଞ ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀମାନଙ୍କୁ ରାତି ୩ରୁ ଲାଇନରେ ଛିଡା ହେବାକୁ ପଡୁଥିବା ବେଳେ କୁକୁର କାମୁଡ଼ା ଇଞ୍ଜେକ୍ସନ ନେବା ପାଇଁ ପୂର୍ବ ରାତିରୁ ଲାଇନରେ ଛିଡା ହେବା ଭଳି ମଧ୍ୟ ନଜିର ରହିଛି।
ଅନଲାଇନରେ ବୁକିଂ ପାଇଁ ‘www.eswasthya.odisha.gov.in’ ୱେବସାଇଟକୁ ଯାଇ ‘Hospital Name’ ତଳେ ‘SCB Medical College & Hospital’ ଉପରେ କ୍ଲିକ କରିବାକୁ ହେବ। ପରେ ନିଜ ନାମ, ଠିକଣା, ଫୋନ ନମ୍ବର ଓ ରୋଗ ସମ୍ପର୍କରେ ତଥ୍ୟ ଦେବାପରେ ଆପଣଙ୍କ ମୋବାଇଲକୁ ଏକ ଲିଙ୍କ ଆସିବ ଯେଉଁଥିରେ କେଉଁ ଦିନ, କେଉଁ ସମୟରେ କେଉଁ ଡାକ୍ତର ଆପଣଙ୍କୁ କେଉଁ କୋଠରୀରେ ଦେଖିବେ ତାହା ସୂଚିତ କରାଯିବ। ଏହାର ଏକ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କୁ ସିଧା ସଳଖ ଦେଖାଇ ପାରିବେ। ଏହି ବ୍ୟବସ୍ଥାରେ ସମ୍ପୃକ୍ତ ୱେବସାଇଟରୁ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ ରିପୋର୍ଟ ମିଳିବା ସୁବିଧା ରହିଥିବା ଜଣାପଡିଛି।