ଆପାର୍ଟମେଣ୍ଟ ଭିତରେ ଚାଲେ ରେଳ


ସତ୍ୟଶିଖା ୧୬/୦୧/୨୦୨୧ : ବହୁଳ ଜନସଂଖ୍ୟାର ଦେଶ ଚୀନ୍ରେ ବିଚିତ୍ର ଘଟଣାମାନ ଦେଖିବାକୁ ମିଳେ । ଚୋରା, ନକଲି ଜିନିଷର ଗନ୍ତାଘର ଭାବେ ଜଣାଯାଉଥିବା ଚୀନ୍ର କେତେକ ପ୍ରାନ୍ତରେ ଆପାର୍ଟମେଣ୍ଟ ଭିତର ଦେଇ ରେଳ ଚଳାଚଳ କରେ । ଦକ୍ଷିଣ-ପୂର୍ବ ଚୀନ୍ର ଚୋଙ୍ଗ୍କିଙ୍ଗ୍ରେ ୧୯ ମହଲାର ଆପାର୍ଟମେଣ୍ଟ ଭିତରେ ଦେଇ ରେଳ ରାସ୍ତା ରହିଛି, ସ୍ଥାନାଭାବ କାରଣରୁ ପ୍ରଶାସନ ଏଭଳି ପଦକ୍ଷେପ ୨୦୧୬ରେ ନେଇଥିଲା । ପ୍ରଥମେ ଆପାର୍ଟମେଣ୍ଟ ସେଠାରେ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଲୋକଙ୍କୁ ବାସହୀନ କରିବାର ସପକ୍ଷରେ ସ୍ଥାନୀୟ ମେୟର ନଥିଲେ । ପ୍ରଶାସନକୁ ଅନୁରୋଧ କରି ସେ ବରଂ ଆପାର୍ଟମେଣ୍ଟ ଭିତରେ ଦେଇ ରେଳ ଚଳାଚଳର ପ୍ରସ୍ତାବ ଦେଇଥିଲେ, ଯାହା ପରେ ଗ୍ରହଣ କରାଯାଇଥିଲା । ୨୦୧୭ରୁ ସେହି ଆପାର୍ଟମେଣ୍ଟ ଭିତରେ ରେଳ ଯା-ଆସ କରିବା ସହ ଲୋକଙ୍କ ରହଣିଶୈଳୀରେ ଯେପରି ବିଘ୍ନ ନ ଆସେ, ସେଥିପାଇଁ ରେଳ କର୍ତ୍ତୃପକ୍ଷ ମଧ୍ୟ ସଚେତନ ହେଲେ । ଆପାର୍ଟମେଣ୍ଟ ଭିତରେ ରେଳ ପ୍ରବେଶ କରିବା ମାତ୍ରେ ଏହାର ସମସ୍ତ କାଚ ଝରକା, କବାଟର ରଙ୍ଗ କଳା ହୋଇଯାଏ । ରେଳଯାତ୍ରୀ ଆପାର୍ଟମେଣ୍ଟ ଭିତରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ଯେପରି ନ ଦେଖିବେ, ସେଥିପାଇଁ ରେଳରେ ଏଳଭି ସେନ୍ସର୍ ଲଗାଯାଇଛି । ଚୀନର ତତ୍କାଳୀନ ରେଳ ଅଧିକାରୀ ଟିଂ ଜୋଇନୁଙ୍କ ମତରେ ସ୍ଥାନ ଅଭାବ କାରଣରୁ ସେମାନେ ଆପାର୍ଟମେଣ୍ଟ ଭିତର ଦେଇ ରାସ୍ତା ତିଆରି କଲେ । ଏସବୁ ଭିତରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ବ୍ୟକ୍ତିଗତ ଜୀବନଶୈଳୀ ଯେପରି ପ୍ରଭାବିତ ନ ହେଉ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।